ଟିମ କ୍ଲିନ ସିଟି ପକ୍ଷରୁ ୭ବର୍ଷ ଧରି ଅଭିଯାନ ଜାରି
ମନୋଜ ଦାସ, ଓଡିଶା ବାର୍ତ୍ତା
() ସାପ୍ତାହିକ ସେବାକାର୍ଯ୍ୟ ଜରିଆରେ ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ଉଦ୍ଦେଶ୍ୟ
() ଯାତ୍ରୀ ଆଶ୍ରୟ ସ୍ଥଳୀ, ପବ୍ଲିକ ଟଏଲେଟ୍ ଓ ରାସ୍ତାପାର୍ଶ୍ବ ପ୍ରାଚୀର ସଫେଇ ସାମିଲ
() ଟିମର ଅଭିଯାନକୁ ମିଳୁଛି ବିଇଏମସି ଓ ସହରବାସୀଙ୍କ ସମର୍ଥନ
ବ୍ରହ୍ମପୁର, ୨୬/୭(): ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ଉଦ୍ଦେଶ୍ୟରେ ଦୀର୍ଘ ୭ବର୍ଷ ପୂର୍ବେ ଗଢ଼ି ଉଠିଥିଲା ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ୍ ସିଟି (ଟିସିସି)। ସହରର ସମସ୍ତ ରାସ୍ତା ପାର୍ଶ୍ୱ ପ୍ରାଚୀରରୁ ପୋଷ୍ଟର ଓ ପ୍ଲାଷ୍ଟିକ ଫ୍ଲେକ୍ସ ବ୍ୟାନର ବାହାର କରିବା ସହିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସୁରକ୍ଷା ଏବଂ ସର୍ବୋପରି ସହରରେ ବୁଲୁଥିବା ମନସିକ ବିକୃତ ଏବଂ ଅସହାୟ ଓ ନିରାଶ୍ରୟଙ୍କୁ ସହାୟତା ପ୍ରଦାନ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ଭଳି କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି କର୍ଯ୍ୟକୁ ଲୋକଙ୍କ ସମର୍ଥନ ଓ ସହଯୋଗ ମିଳିବା ଫଳରେ ସଂଗଠନ ପକ୍ଷରୁ ଏହାକୁ ସହର ମଧ୍ୟରେ ସୀମିତ ନରଖି ସହର ବାହାରେ ଏପରିକି ଜିଲ୍ଲା ବାହାରକୁ ସମ୍ପ୍ରସାରଣ କରାଯାଇଛି। ସଂଗଠନର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟାରେ ସମଭାବାପାନ୍ନ ବ୍ୟକ୍ତି ସାମିଲ ହୋଇଛନ୍ତି। ପୂର୍ବରୁ ଯଦିଓ ପ୍ରତିଦିନ ଏହି କାର୍ଯ୍ୟ ଚାଲୁଥିଲା ବର୍ତ୍ତମାନ ସାପ୍ତାହିକ ଗୋଟିଏ ଦିନ ରବିବାର ସକାଳ ସମୟରେ ହାତକୁ ନିଆଯାଉଛି। ଏହି କ୍ରମରେ ଆଜି ବ୍ରହ୍ମପୁର ସହରରେ ମେଡିକାଲ ଛକ ଠାରୁ ଖୋଡାସିଙ୍ଗି ମଧ୍ୟରେ ଥିବା ରାସ୍ତା ପାର୍ଶ୍ୱ ପ୍ରାଚୀର ଓ ଆଶ୍ରୟ ସ୍ଥଳୀ ଗୁଡିକୁ ସଫା କରାଯାଇଥିଲା। ଏଥିରେ ଟିମର ବହୁ ସଦସ୍ୟଙ୍କ ସହିତ ବିଇଏମସିର ସ୍ଥାନୀୟ ସଫେଇ କର୍ମଚାରୀଙ୍କ ସହଯୋଗ ମିଳିଥିଲା। ରାସ୍ତା ପାର୍ଶ୍ୱ ପ୍ରାଚୀରରେ ପୋଷ୍ଟର ଲଗାଇବା ଦ୍ୱାରା ସହରର ସୁନ୍ଦରତା ନଷ୍ଟ ହେଉଥିବାରୁ ବିଇଏମସି ପକ୍ଷରୁ ଜରିମାନା ବ୍ୟବସ୍ଥା କରାଯାଇଛି। ସେହିଭଳି ବହୁ ଅର୍ଥ ବ୍ୟୟ କରି ରାସ୍ତା ପାର୍ଶ୍ୱ ପ୍ରାଚୀରକୁ ସମାଜକୁ ବାର୍ତ୍ତା ପ୍ରଦାନ କରୁଥିବା ଚିତ୍ରିତ କରାଯାଇଛି। ବର୍ତ୍ତମାନ ସେଗୁଡ଼ିକର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ସମସ୍ତେ ମିଳିମିଶି ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା। (TCC)
