ଶକ୍ତିଶ୍ରୀ ସଶକ୍ତିକରଣ ପଦକ୍ଷେପ ଅଧୀନରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ୟୁରୋ ଓଡିଶା ବାର୍ତ୍ତା
ଛତ୍ରପୁର, ତା 23/07: ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ୱାରା ମିଶନ ଶକ୍ତି ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଶକ୍ତିଶ୍ରୀ ସଶକ୍ତିକରଣ ପଦକ୍ଷେପ ଅନ୍ତର୍ଗତ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର କାର୍ଯ୍ୟଯୋଜନା ଅନୁସାରେ “ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା ଓ ଅଭିମୁଖୀକରଣ” ବିଷୟବସ୍ତୁକୁ ନେଇ ଏକ ଲିଙ୍ଗ ସମ୍ବେଦନଶୀଳତା ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।

ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ମହିଳା ସଶକ୍ତିକରଣ କେନ୍ଦ୍ର (ଜିଲ୍ଲା ହବ୍ ଫର୍ ଏମ୍ପାୱରମେଣ୍ଟ ଅଫ୍ ୱିମେନ୍)ର ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜିକା ଗୀତାଞ୍ଜଳି ମହାରଣା ସଭାପତିତ୍ୱ କରି ମହିଳା ସୁରକ୍ଷା, ଲିଙ୍ଗ ସମାନତା, ମହିଳା ସଶକ୍ତିକରଣ, ମିଶନ ଶକ୍ତିର ବିଭିନ୍ନ ଯୋଜନା ଏବଂ ଶକ୍ତିଶ୍ରୀ ସଶକ୍ତିକରଣ ପଦକ୍ଷେପର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁରର ଆଞ୍ଚଳିକ ସଂଯୋଜିକା ସୀତଲ ପୂର୍ଣ୍ଣିମା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ବିକାଶ, ସକାରାତ୍ମକ ଚିନ୍ତାଧାରା ଓ ସୁରକ୍ଷିତ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ଏପରି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ନେତୃତ୍ୱ ଗୁଣ ଓ ଲିଙ୍ଗ ସମାନତାର ମୂଲ୍ୟବୋଧ ବିକାଶରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜୀକା, ଲିଙ୍ଗଭିତ୍ତିକ ହିଂସା, ମହିଳା ସୁରକ୍ଷା ଓ ସୁରକ୍ଷିତ ପରିବେଶ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ ନିବାରଣ ଆଇନ–୨୦୧୩, ସାମାଜିକ କୁପ୍ରଥା, ମହିଳା ଓ ଶିଶୁ ଅଧିକାର, ମହିଳା ସଶକ୍ତିକରଣ ଏବଂ ମିଶନ ଶକ୍ତିର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହିତ ଶରୀରର ସଠିକ୍ ଭାଷା, ସଠିକ୍ ଠିଆ ହେବା ଓ ବସିବାର ଶୈଳୀ, ଆତ୍ମବିଶ୍ୱାସ ବୃଦ୍ଧି, ପ୍ରଭାବଶାଳୀ ଯୋଗାଯୋଗ କୌଶଳ, ବ୍ୟକ୍ତିତ୍ୱ ବିକାଶ ଓ ଆତ୍ମରକ୍ଷା ସଚେତନତା ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ଓ ଆଲୋଚନା କରାଯାଇଥିଲା। ଏହା ସହିତ ଗଞ୍ଜାମ 360 App-ର ବ୍ୟବହାର, ଏହାର ସୁବିଧା ଏବଂ ୧୧୨ (ଏକୀକୃତ ଜରୁରୀ ସହାୟତା), ୧୮୧ (ମହିଳା ହେଲ୍ପଲାଇନ୍), ୧୦୯୧ (ମହିଳା ହେଲ୍ପଲାଇନ୍) ଓ ୧୦୯୮ (ଚାଇଲ୍ଡ ହେଲ୍ପଲାଇନ୍) ସମେତ ବିଭିନ୍ନ ସହାୟତା ନମ୍ବରର ସଠିକ୍ ବ୍ୟବହାର ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।
ସୁଶାନ୍ତ ସାଦର, ଏସ୍. ରଞ୍ଜିତା, ସୁଭାଶ୍ରୀ ମିଶ୍ର, ଦୁର୍ଗାବାଳା ଟୁଡୁ, ସାମିଲି ବେହେରା ଏବଂ ସୁଜାତା ମଲ୍ଲିକ ସମେତ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମ୍ବଲ ଓ ସାମର୍ଥ୍ୟ ପକ୍ଷରୁ କାର୍ଯ୍ୟରତ ଜେଣ୍ଡର ସ୍ପେସିଆଲିଷ୍ଟମାନେ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ।
ଶେଷରେ ଶକ୍ତିଶ୍ରୀ ସମନ୍ୱୟକାରୀ ଡ଼. ସୁଚିନ୍ନତା ଏସ୍. ସର୍ଦ୍ଦାର ଧନ୍ୟବାଦ ଜ୍ଞାପନ କରିଥିଲେ ।
