ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମଜନିତ କାରଣ ସନ୍ଦେହ, ଯୁବକ ଥାନାରେ ଅଟକ।
ସିପ୍ରା ପଟନାୟକ,ଓଡିଶାବାର୍ତ୍ତା
ଖଲ୍ଲିକୋଟ(ସପ୍ର),ତାରିଖ ୨୨/୦୫–ସୋମବାର ଦିନ ଅପରାହ୍ନରେ ଖଲ୍ଲିକୋଟ ସହର ଅନ୍ତର୍ଗତ କରଣସାହି ସ୍ଥିତ ଏକ ତିନି ମହଲା ଘରୁ ଜଣେ ଅବିବାହିତ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଖଲ୍ଲିକୋଟ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ ଭଞ୍ଜନଗର ଥାନା ଅନ୍ତର୍ଗତ ପାଟଧର ଗ୍ରାମର ଦୟାନିଧି ସ୍ବାଇଁ ଝିଅ ପାୟଲ ସ୍ବାଇଁ, ବୟସ ୨୩ ବର୍ଷ, ଖଲ୍ଲିକୋଟ ସହରରେ ରହି ଖଲ୍ଲିକୋଟ ବଡଦାଣ୍ଡ ସାହିରେ ଥିବା କଳିଙ୍ଗ ଲୋନ ସର୍ଭିସ ପଏଣ୍ଟରେ ଅଭ୍ୟର୍ଥନା କର୍ମଚାରୀ ଭାବେ କାମ କରୁଥିଲେ। ଦ୍ବିପହରେ ପାୟଲ ଅସୁସ୍ଥ ଲାଗୁଛି କହି ରହୁଥିବା ଭଡା ଘରକୁ ଯାଇଥିଲେ। ଦୀର୍ଘ ସମୟ ଧରି କାର୍ଯ୍ଯାଳୟକୁ ନଫେରିବାରୁ କଳିଙ୍ଗ ଲୋନ ସର୍ଭିସ ପଏଣ୍ଟର କର୍ମକର୍ତ୍ତା ଫୋନ କରିବା ପରେ କୌଣସି ଉତ୍ତର ନମିଳିବାରୁ ପାୟଲଙ୍କ ଭଉଣୀଙ୍କ ସହ ଯୋଗାଯୋଗ କରିଥିଲେ। ପାୟଲ ରହୁଥିବା ଘରେ କବାଟ ବନ୍ଦ ଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଥିବା ଯୁବତୀଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତ ଯୁବତୀଙ୍କ ସହିତ ସିଧାପଲୀ ଗ୍ରାମର ବିପ୍ର ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ,ବୟସ ୨୪ ବର୍ଷ ଙ୍କୁ ସନ୍ଦେହ ଭାବରେ ଧରି ନେଇ ଥାନାରେ ଅଟକ ରଖି ପଚାରାଉଚାରା ଚଳାଇଛି ,ତେବେ ପାୟଲଙ୍କ ମୃତ୍ୟୁ ପ୍ରେମ ଜନିତ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।