ଜିଲ୍ଲାସ୍ତରୀୟ ବୈଠକ ପରେପରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି l
ମନୋଜ ଦାସ, ଓଡିଶା ବାର୍ତ୍ତା
ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ, କର୍ପୋରେଟରଗଣ, ବିଧାୟକ ପ୍ରତିନିଧି,ନିଗମର ସମସ୍ତ ଅଫିସର ଓ ଇଞ୍ଜିନିୟର, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା l
ବ୍ରହ୍ମପୁର ନିଗମ କାର୍ଯ୍ୟାଳୟରେ ୨୫ଅକ୍ଟୋବର ଠାରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ କାମ କରିବ l ସମୁଦାୟ ୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯିବା ସହ ସେଗୁଡିକର ସୁପରିଚାଳନା ପାଇଁ ସେଠାରେ ଚବିଶ ଘଣ୍ଟିଆ ଦାୟିତ୍ୱ ନିର୍ବାହ ସକାଶେ କର୍ମଚାରୀ ନିୟୋଜିତ କରାଯାଇଛି l କଚ୍ଚାଘର ଏବଂ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରି ସେହି ଆଶ୍ରୟସ୍ଥଳୀଗୁଡ଼ିକରେ ରଖାଯିବ l ସେହିପରି ଟାଟା ପାୱାର ସଂସ୍ଥା ସହ ସମନ୍ୱୟ ରକ୍ଷା କରି ବିପଦସଂକୁଳ ଅବସ୍ଥାରେ ଥିବା ଗଛଗୁଡ଼ିକର ଡାଳ ଆଗୁଆ କାଟିବା ଏବଂ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ନାଳ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜଳବନ୍ଦୀ କିମ୍ବା କୃତ୍ରିମ ବନ୍ୟା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ବଛାବଛା ସ୍ଥାନରେ କୁଶଳୀ କର୍ମଚାରୀଙ୍କ ସହ ଯାନବାହାନ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି ବୋଲି ନିଗମ କର୍ତ୍ତୃପକ୍ଷ କହିଛନ୍ତି lଜନସାଧାରଣ ଅଯଥା ଆତଙ୍କିତ ନ ହୋଇ, ଗୁଜବରେ ବିଶ୍ୱାସ ନ କରି ନିଜ ଅଞ୍ଚଳର ସମସ୍ୟାକୁ ମହାନଗର ନିଗମର କଣ୍ଟ୍ରୋଲ ରୁମ ନମ୍ବର ୭୬୦୮୮୮୦୪୮୦ରେ ଯୋଗାଯୋଗ କରି ଜଣାଇବା ପାଇଁ ମହାନଗର ନିଗମ ପକ୍ଷରୁ ନିବେଦନ କରାଯାଇଛି l ଅନ୍ୟପକ୍ଷରେ ଆଗାମୀ ୧୫ଦିନ ମଧ୍ୟରେ ପ୍ରସବ ତାରିଖ ଧାର୍ଯ୍ୟ ଥିବା ଗର୍ଭବତୀ ମହିଳାମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ସିଡ଼ିପିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବର୍ଷା ସମୟରେ ପ୍ରାଣୀ ଚିକିତ୍ସା ବିଭାଗର ଆମ୍ବୁଲାନ୍ସ ସେବା ଓ ଆଶୁ ଚିକିତ୍ସା ବ୍ୟବସ୍ଥା ସକ୍ରିୟ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି l ଯଥେଷ୍ଟ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ରୋକିବା ଓ ଦରଦାମ ଉପରେ ନଜର ରଖିବାକୁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l
