ଜିଲା ସଂସ୍କୃତି ବିଭାଗରେ ଅଚଳାବସ୍ଥା, ନଥିପତ୍ର ଫେରାଉନାହାନ୍ତି ପୂର୍ବ ସଂସ୍କୃତି ଅଧିକାରୀ

Spread the love

ବାଦଲ ତା, ଓଡିଶା ବାର୍ତ୍ତା

ରାୟଗଡ୨୩/୧୨- ଜିଲା ସଂସ୍କୃତି ବିଭାଗରେ ଏବେ ଅଚଳାବସ୍ଥା । ବିଭାଗର କମ୍ପ୍ୟୁଟରରେ ନାହିଁ ଡାଟା । କର୍ଯ୍ୟାଳୟରେ ନାହିଁ ସରକାରୀ ଭାବେ ପାଳିତ ହେଉଥିବା ରାୟଗଡା ଜିଲ୍ଲା ଚଇତି ଉତ୍ସବର ଆଦାୟ ଓ ଖର୍ଚ୍ଚ(କ୍ୟାସବୁକ) ବିବରଣୀ ସମ୍ପର୍କିତ ନଥିପତ୍ର । ଏସବୁ ଫେରାଉନାହାନ୍ତି ପୂର୍ବ ଜିଲା ସଂସ୍କୃତି ଅଧିକାରିଣୀ । ଲମ୍ବା ଛୁଟିରେ ଯିବାପରେ ଲାଗିରହିଥିବା ଅଚଳାବସ୍ଥା ଜଳଜଳ ଦିଶୁଥିବା ବେଳେ ଚଇତିକୁ ନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ । ଉଧାରରେ ଚାଲିଛି ଜିଲ୍ଲାସ୍ତରୀୟ ଖେଳକୁଦଠାରୁ ଆରମ୍ଭ କରି ଚଇତି ପ୍ରସ୍ତୁତି କାର୍ଯ୍ୟକ୍ରମ। ଛୁଟିରେ ଥିବା ଅଧିକାରିଣୀଙ୍କ ଅସହଯୋଗରେ ଚଇତିର ସଫଳତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । 

ଗତ ଦିନରେ ଚଇତି ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ ହୋଇଥିଲା । ପୂର୍ବବର୍ଷର ହିସାବ ନିକାଶକୁ ନେଇ ସାଧାରଣ ଜନତା ଜିଲ୍ଲା  ପ୍ରସାଶନ ଉପରେ ଗର୍ଜି ଉଠିଥିଲେ । ୨୦୨୨-୨୩ ଚଇତି ମହୋତ୍ସବକୁ ନେଇ ଆଇନଜୀବୀ, ଗଣମାଧ୍ୟମର ପ୍ରତିନିଧି ଏପରିକି ଆଦିବାସୀ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଦିବାସୀ ତଥା ଆଇନ ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ଆଦିବାସୀଙ୍କ ଉପେକ୍ଷାକୁ ନେଇ ଖୋଦ ଆଦିବାସୀ ନେତାଏଁ କ୍ଷୋଭ ପ୍ରକାଶ କରିଥିଲେ । ସଭିଙ୍କର ଅଙ୍ଗୁଠି ସିଧାସଳଖ ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁସ୍ମିତା ବାଉରିଙ୍କ ଆଡକୁ ଉଠିଥିଲା । ପୂର୍ବ ବର୍ଷରେ ପ୍ରବଳ ଆର୍ଥକ ଅନିୟମିତତା ହୋଇଥିବା ଉପସ୍ଥିତ ଜଣଜଣ କରି ମତ ରଖିଥିଲେ । ଅଡିଟ ରିପୋର୍ଟ ଏବଂ ହିସାବ ନିକାଶ ନଥାଇ ଆଉ ଏକ ଚଇତି ପ୍ରସ୍ତୁତି ବୈଠକ କିପରି ଡକାଗଲା ବୋଲି ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟ ପ୍ରଣାଳୀକୁ ପ୍ରଶ୍ନ କରିଥିଲେ ସାଧାରଣ ଜନତା । ୯୨ଲକ୍ଷ ଟଙ୍କା ଆଦାୟ ଏବଂ ଏହାର ଖର୍ଚ୍ଚର ନଦେଇ ମହିଳା ସଂସ୍କୃତି ଅଧିକାରୀଙ୍କ ପାଇଁ ଉପସ୍ଥିତ ମଞ୍ଚାସୀନ ଅତିଥି ମାନେ ନିନ୍ଦିତ ହୋଇଥିଲେ ।
ସ୍ଥିତି ଦେଖି ନିଜେ ଅରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରସାଶନର ତୃଟି ରହିଥିବା ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ । ଅତି ଜଟିଳ ସ୍ଥିତିରେ ବୈଠକ ସାଙ୍ଗ ହୋଇଥିଲା । ଜିଲ୍ଲାପାଳ ଉକ୍ତ ବୈଠକରେ ଅନୁପସ୍ଥିତ ଥିଲେ ହେଁ ଆସିଥିବା ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଥିଲେ । କେ ସିଂହପୁର ଦେବଗିରି ଶୈବ ପିଠରୁ ଚଇତି ଆଜ୍ଞାମାଳ ଆଣିବା ପରେପରେ ସମ୍ପୃକ୍ତ ସଂସ୍କୃତି ଅଧିକାରୀ ଲମ୍ବା ଛୁଟିରେ ଚାଲିଯାଇଥିବା ଭଳି ଘଟଣା ନଜରକୁ ଆସିଥିଲା । ପରେପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ରୂପେ ଅତିରିକ୍ତ ଦାୟୀତ୍ୱ ଦେଇ ଚଇତି ସୁଚାରୁ ରୂପେ ତୁଲାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ବାଉରୀ ନିଜେ ଛୁଟି ଆବେଦନ କରି ଯାଇଛନ୍ତି ନାଁ ତାଙ୍କର କାର୍ଯ୍ୟକଳାପ ପାଇଁ ତାଙ୍କୁ ଲମ୍ବା ଛୁଟିରେ ଯିବାପାଇଁ ବାଧ୍ୟ କରାଯାଇଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି ।  ତେବେ ଆଦିବାସୀଙ୍କ ସହ ଆଲୋଚନା କରିବା, ସଂସ୍କୃତି ଅଧିକାରୀଙ୍କ ପରିବର୍ତ୍ତନ ଭଳି ଘଟଣାମାନକୁ ନେଇ ଜିଲ୍ଲାପାଳଙ୍କୁ ଲୋକେ ଭୂୟସୀ ପ୍ରସଂଶା କରିଛନ୍ତି ।

ତେବେ ସଂସ୍କୃତି ବିଭାଗର ଦାୟୀତ୍ୱ ପରିବର୍ତ୍ତନ ପରଠାରୁ ଏପର୍ଯ୍ୟନ୍ତ ଚଇତି ପ୍ରସ୍ତୁତିକୁ ନେଇ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗିରହିଥିବା ଅନୁଭବ ହେଉଅଛି । ଲୋକ ମହୋତ୍ସବ ଚଇତି ସହ ଜଡିତ କମିଟିର ସଦସ୍ୟଙ୍କ ସହ ଆଲୋଚନା ବେଳେ ଜଣାପଡିଛିଯେ କାର୍ଯ୍ୟାଳୟରେ ଜିଲା ସଂସ୍କୃତି ପରିଷଦର କୌଣସି ନଥିପତ୍ର ନାହିଁ । କମ୍ପ୍ୟୁଟରରେ ଚଇତି ସମ୍ପର୍କିତ କୌଣସି ଡ଼ାଟା ମଧ୍ୟ ନାହିଁ ।  ଜିଲ୍ଲା କଳା ସଂସ୍କୃତି ସଙ୍ଘ (ଜେଡ କେ ଏସ ଏସ)ର କୌଣସି ନଥିପତ୍ର ମଧ୍ୟ ହସ୍ତାନ୍ତର ହୋଇନାହିଁ । ଏପରିକି ଗତ ଚଇତିର ସମ୍ପର୍କତ କୌଣସି ନଥିପତ୍ର ନାହିଁ । ମୁଖ୍ୟତଃ ଆଦାୟ ଓ ଖର୍ଚ୍ଚ ସମ୍ପର୍କିତ ହିସାବ ଖାତା ନଥିବା  ଜଣାପଡିଛି । ବ୍ୟାଙ୍କ ଜମାଖାତାରେ ମାତ୍ର ୨୮ହଜାର ଟଙ୍କା ରହିଥିବା ବେଳେ କାର୍ଯ୍ୟାଳୟରେ ଗୋଟିଏ ଚେକବୁକ ରହିଛି ।ସମ୍ପୃକ୍ତ ଅଧିକାରିଣୀ ସହଯୋଗ କରୁନଥିବା ଜଣାପଡିଛି । ଲମ୍ବା ଛୁଟିରେ ଯିବା ପୂର୍ବରୁ ସବୁକିଛି ଦାୟୀତ୍ୱ ହସ୍ତାନ୍ତର କରି ଯିବା ବଦଳରେ ଅଧିକାରୀ ଜଣକ କୌଣସି ଫୋନ ଉଠାଉନଥିବା ଭଳି ସୁଚନା ମିଳିଛି । ସଂସ୍କୃତି ବିଭାଗର ମୁଖ୍ୟ ଦ୍ଵାରରେ ଚଇତି ସମ୍ବନ୍ଧରେ ଗୋଟିଏ ହୋର୍ଡିଙ୍ଗ  ଲଗାଇ ନୂଆକରି ଦାୟୀତ୍ୱ ନେଇଥିବା ଅଧିକାରୀ ହାତ ଉପରେ ହାତ ପକାଇ ବସିରହିଥିବା ଦେଖାଯାଉଛି ।  ଡିସେମ୍ବର ୨୬ ତାରିଖରରେ ଚଇତି ଉଦଘାଟନ ପୂର୍ବରୁ ବିଭିନ୍ନ ବର୍ଗର ଖେଳକୁଦ, ପ୍ରତିଯୋଗିତା, ଚଇତାଳି ପୁସ୍ତକ ମୁଦ୍ରଣ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ସବୁକିଛି ବାକିରେ ଚାଲିଥିବା ଜଣାପଡିଛି । ଏଭଳି ଅଚଳାବସ୍ଥା ଲଗିରହିଥିଲେ ଆଗକୁ କାର୍ଯ୍ୟ ସମ୍ପାଦନରେ ସମସ୍ୟା ଉପୁଜିବ ବୋଲି ବିଭିନ୍ନ କମିଟିର ପ୍ରମୁଖ ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି ।

ଗତ ଚଇତିରେ ସ୍ଥାନୀୟ କଳାକାର, ଭେଣ୍ଡରକୁ ନେଇ ବୈଠକରେ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଚଳିତ ଚଇତି ମହୋତ୍ସବରେ ସ୍ଥାନୀୟ କଳାକାର, ଭେଣ୍ଡର, ଉଦ୍ୟୋଗୀ ଏବଂ ଆଦିବାସୀ ଓ ସ୍ଥାନୀୟ ଲୋକଙ୍କୁ ଜିଲ୍ଲାପାଳ ପ୍ରାଧାନ୍ୟତା ଦେଇଛନ୍ତି । ଏଭଳି ସ୍ଥିତିରେ ସଂସ୍କୃତି କାର୍ଯ୍ୟାଳୟର ଅଚଳାବସ୍ଥାକୁ ନେଇ ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ନେବାସହ ଏକ ସୁଚିନ୍ତିତ ରାସ୍ତା ବାହାର କରିବା ଆବଶ୍ୟକ ବୋଲି ଜିଲ୍ଲାବାସୀ ପ୍ରକାଶ କରିଛନ୍ତି  ।