ୟୁରୋକିଡ୍ସ ବିଜେବି ନଗରର ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ବ୍ୟୁରୋ ଓଡିଶା ବାର୍ତ୍ତା
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅଗ୍ରଣୀ ପ୍ରାକ୍–ପ୍ରାଥମିକ ଶିକ୍ଷାନୁଷ୍ଠାନ ‘ୟୁରୋକିଡ୍ସ ବିଜେବି ନଗର’ (ଓମ୍ସାଇ) ପକ୍ଷରୁ ଗାଲାକ୍ସି ଫିଲ୍ଡଠାରେ ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ହେଲ୍ଥ ଇଜ୍ ୱେଲ୍ଥ – ୨୦୨୬” ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଆକର୍ଷଣୀୟ ବିଷୟବସ୍ତୁ ଥିଲା “ଲିଟିଲ୍ ହାର୍ଟସ୍, ହାପି ୱାର୍ଲ୍ଡ”। ଶିଶୁମାନଙ୍କ ଶାରୀରିକ ସୁସ୍ଥତା, ମାନସିକ ଆନନ୍ଦ, ଆତ୍ମବିଶ୍ୱାସ, ଦଳଗତ ସହଯୋଗ ଓ ସାମଗ୍ରିକ ବିକାଶର ଗୁରୁତ୍ୱକୁ ଏହି କ୍ରୀଡ଼ା ଉତ୍ସବ ମାଧ୍ୟମରେ ପ୍ରତିଫଳିତ କରାଯାଇଥିଲା।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା ତଥା ଡିଏସ୍ପି ଶ୍ରୀ କେ. ରବି କୁମାର ଯୋଗଦେଇ କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ପୋଲିସର ବିଶିଷ୍ଟ ଅଧିକାରୀ ତଥା ଜାତୀୟ ସ୍ତରୀୟ ବକ୍ସିଂ ଖେଳାଳି ଶ୍ରୀ ଶିବଶଙ୍କର ଜେଠୀ, ପୂର୍ବତନ ଜିଲ୍ଲାପାଳ ତଥା ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘ଜଣା ଅଜଣା’ର ଉପସ୍ଥାପକ ଶ୍ରୀ ଦିଲୀପ ରାଉତରାୟ, ଆଇନଜୀବୀ ତଥା ବିଜେଡି ଗଣମାଧ୍ୟମ ମୁଖପାତ୍ର ଡଃ ଲେନିନ କୁମାର ମହାନ୍ତି, ଲାଇଟ୍ହାଉସ୍ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍ (ଓଡ଼ିଶା)ର ଏକାଡେମିକ୍ ଅପରେସନ୍ସ ମ୍ୟାନେଜର ସୁଶ୍ରୀ ସ୍ୱାତୀ ବିଶ୍ୱାଳ ଏବଂ ୟୁରୋକିଡ୍ସର ବିଜନେସ୍ ମ୍ୟାନେଜର ଶ୍ରୀ ଅଖିଳ ପଳାଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
ଉତ୍ସବରେ କୁନି କୁନି ପିଲାମାନେ ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତାରେ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜର ଆତ୍ମବିଶ୍ୱାସ, ଶାରୀରିକ ସମନ୍ୱୟ ଓ କ୍ରୀଡ଼ା ମନୋଭାବର ଚମତ୍କାର ପରିଚୟ ଦେଇଥିଲେ। ଏହି ଅବସରରେ କେବଳ ପଦକ ଜିତିବା ନୁହେଁ, ବରଂ ଖେଳରେ ଭାଗ ନେବା, ଶିଖିବା ଏବଂ ସକାରାତ୍ମକ ମନୋଭାବର ବିକାଶ କରିବା ହିଁ ପ୍ରକୃତ ବିଜୟ ବୋଲି ବାର୍ତ୍ତା ଦିଆଯାଇଥିଲା।
ୟୁରୋକିଡ୍ସ ବିଜେବି ନଗରର ନିର୍ଦ୍ଦେଶିକା ଆଡଭୋକେଟ୍ ଜ୍ୟୋତ୍ସ୍ନାମୟୀ ପରିଡ଼ା ନିଜ ଅଭିଭାଷଣରେ କହିଥିଲେ ଯେ, ଶୈଶବରୁ ଶିଶୁମାନଙ୍କ ଶାରୀରିକ ସୁସ୍ଥତା, ସୁଖୀ ମନ ଓ ମାନବିକ ମୂଲ୍ୟବୋଧର ବିକାଶ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷା କେବଳ ପାଠପଢ଼ା ମଧ୍ୟରେ ସୀମିତ ନ ରହି ଖେଳକୁଦ, ଶୃଙ୍ଖଳା ଓ ସହଯୋଗ ମାଧ୍ୟମରେ ଶିଶୁର ସାମଗ୍ରିକ ବିକାଶ ହେବା ଉଚିତ। ପରିଶେଷରେ ସେ ଅଭିଭାବକ, ଜେଜେବାପା–ଜେଜେମା, ଶିକ୍ଷକ–ଶିକ୍ଷୟିତ୍ରୀ, କର୍ମଚାରୀ, ଅତିଥି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।
