ଲକ୍ ଡାଉନ୍ ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରାଯିବ- ଜିଲ୍ଲାପାଳ

vc

Odishabarta

ଛତ୍ରପୁର ତା.୧୭.୦୭.୨୦ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ଆଦେଶ ପ୍ରକାରେ   ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିବ  ।  କରୋନା ସଂକ୍ରମଣକୁ ରୋକିବା ଦିଗରେ ଚଢାଉ ପ୍ରକ୍ରିୟାକୁ ଆହୁରି ବ୍ୟାପକ ଓ କଠୋର କରାଯିବ  । ଜନ ସାଧାରଣଙ୍କର ଯେପରି କୌଣସି ଅସୁବିଧା ନ ହେଉ ସେଥି ସକାଶେ ସକାଳ ୬ଘଣ୍ଟା ଠାରୁ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ସୁଯୋଗ ଦିଆଯାଇଛି  ।  ପନିପରିବା, ତେଜରାତି, ଔଷଧ ଦୋକାନ, ଆମିଷଦୋକାନ ଖୋଲା ରହିବ  । କିନ୍ତୁ ସଂପୃକ୍ତ ଦୋକାନ ଗୁଡିକ ଦୁଇଥାକିଆ ( ଡବଲ୍ ) ବାରିକେଡ୍ କରି ସାମଗ୍ରୀ ବିକ୍ରି କରିବେ, ଗୋଟିଏ ଥାକ ବାରିକେଡ୍ ଓ ଦ୍ବିତୀୟ ଥାକ ବାରିକେଡ୍ ମଧ୍ୟରେ ନିହାତି ଭାବରେ ୧ମି. ବ୍ୟବଧାନ ରହିବା ଆବଶ୍ୟକ  । ଯେଉଁ ଦୋକାନ କିମ୍ବା ଖାଉଟୀ ଗଣ କୋଭିଡ୍ ନିୟମ ଅନୁଯାୟୀ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜେସନ୍ ନିୟମ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଏତେଲା ଦାୟର କରି ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।  ମୋଟର ସାଇକେଲ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ  । ବ୍ୟାଙ୍କ ଗୁଡିକ ସକାଳ ୧୦ ଟା ଠାରୁ ଦିନ ୧୨ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସେବା ଯୋଗାଇବେ ଏବଂ ୧୨ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ ଚାଲୁ ରହିବ ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି ।

ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ସ୍ବାସ୍ଥ୍ୟ ଅଧିକାରୀ ସହ ସଂପୃକ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀ ମିଶନ୍ ମୋଡ୍ ରେ କାର୍ଯ୍ୟକଲେ ନିଶ୍ଚିତରୂପେ କରୋନା ସଂକ୍ରମଣ ରୋକିହେବ  ଓ ଜିଲ୍ଲାକୁ କରୋନାମୁକ୍ତ କରିହେବ ।

ହୋମ୍ ଆଇସୋଲେସନ୍ ରେ ରଖାଯାଉଥିବା ବ୍ୟକ୍ତିଙ୍କ ଘରେ ପୋଷ୍ଟର ଲଗାଯିବା ଏବଂ ସଂପୃକ୍ତ ବ୍ୟକ୍ତି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ  । ହୋମ୍ ଆଇସୋଲେସନ୍ ରେ ରହିଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ନମ୍ବର ଦିଆଯାଉ ଯଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କର କୌଣସି ଅସୁବିଧା ହେଲେ ସେ ଫୋନ୍ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ  । କୋଭିଡ୍ ଯୋଦ୍ଧା ନିଜର କାର୍ଯ୍ୟ ସମ୍ପାଦନ ବେଳେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ  । ଯେଉଁ ବ୍ୟକ୍ତିମାନେ ସୁସ୍ଥ ହୋଇ ଫେରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉ  । ଯଦ୍ବାରା ପରବର୍ତ୍ତି ପର୍ଯ୍ୟାୟରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇ ଦୁଇଜଣ ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ସୁରକ୍ଷିତ କରାଯାଇ ପାରିବ ।

ଭିଡିଓ କନଫରେନ୍ସିଂ ରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ  ।