କଳାହାଣ୍ଡି ରୁ ପ୍ରଚୁର ପରିମାଣ ରେ କ୍ଵାର୍ଜ ପଥର ଚୋରା କାରବାର ଅଭିଯୋଗ
ଦୁଷ୍ମନ୍ତ ପଣ୍ଡା,ଓଡିଶା ବାର୍ତ୍ତା
କଳାହାଣ୍ଡି ତା 30.05.2026 ( ବ୍ୟୁରୋ ) କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ଅଞ୍ଚଳରୁ ବ୍ୟାପକ କ୍ଵାର୍ଜ ପଥର ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି । ଅତୀତରେ କୋକସରା ବ୍ଲକ ରେ ଏକ କ୍ଵାର୍ଜ ପଥର କାରଖାନା ଚାଲିତହିବା ବେଳେ ତାହା ଦୀର୍ଘ ଦିନ ହେବ ବନ୍ଦ ପଡିରହିଛି । ଏହାର ସୁଯୋଗ ନେଇ କ୍ଵାର୍ଜ ପଥର କଳା ବଜାରୀ ମାନେ କଳାହାଣ୍ଡି ର ବିଭିନ୍ନ ଅଞ୍ଚଳ ରେ ବିଶେଷ କରି ଜୁନାଗଡ ବ୍ଲକ ର ଆଖ ପାଖ ଅଞ୍ଚଳରୁ ବ୍ୟାପକ ଭାବେ କ୍ଵାର୍ଜ ପଥର ଚୋରା କାରବାର କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା ଖଣି ବିଭାଗ ର ନାକ ତଳେ କିପରି ଭାବେ ଏଭଳି କୋଟି କୋଟି ଟଙ୍କା ମୂଲ୍ୟର କ୍ଵାର୍ଜ ପଥର ଚୋରା କାରବାର କରୁଥିବା ବେଳେ ପ୍ରଶାସନ କିମ୍ବା ଖଣି ବିଭାଗ ର ନଜର ପଡୁ ନ ଥିବା ନିଶ୍ଚିତ ଭାବେ ସନ୍ଦେହ ଜନକ ମନେ ହୁଏ ।
ଜୁନାଗଡ– ଧର୍ମଗଡ ରାସ୍ତା ର ଖାଳିଆପାଳି ଠାରେ ବାମ ପାର୍ଶ୍ବ ରେ ଗଦା ଗଦା କ୍ଵାର୍ଜ ପଥର ପଡ଼ିଥିବାର ଦେଖା ଯାଉଛି । ସେହି ପଥର କେଉଁଠୁ ଆସିଲା, କେବେ କାହାଦ୍ୱାରା ଆସିଲା, କିପରି ଆସିଲା, କହିକି ଆସିଲା, କେଉ ଉଦ୍ଦେଶ୍ୟରେ ସେଠାରେ ପଡି ରହିଛି ସେସବୁ ର ଉତ୍ତର ମିଳି ପାରୁ ନାହି । ବୋଧ ହୁଏ ଏହି ଅଞ୍ଚଳରେ ସକ୍ରିୟ ଥିବା ଚୋରା କ୍ଵାର୍ଜ ପଥର ବେପାରୀ ମାନେ ସେଠାରେ ପକାଇ ଦେଇଥିବା ଏବଂ ସୁବିଧା ସୁଯୋଗ ଦେଖି ସେଠାରୁ ପୁଣି ନେଇଯିବା ଯୋଜନା ହୋଇଥାଇ ପରେ ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରିନାହି ।
ଅବଶ୍ୟ କଳାହାଣ୍ଡି ଜିଲ୍ଲାରେ ଏପରିକି କଳାହାଣ୍ଡି ଜିଲ୍ଲାରେ କେଉଠାରେ କ୍ଵାର୍ଜ ପଥର ଖଣି ସବୁ ରହିଛି ସେସବୁର ସଠିକ ତଥ୍ୟ ମଧ୍ୟ ଜିଲ୍ଲା ଖଣି ବିଭାଗ ପାଖରେ ନ ଥିବାର ଜଣାପଡିଛି । ବିଗତ ତିନି/ଚାରି ବର୍ଷ ର କଳାହାଣ୍ଡି ଜିଲ୍ଲାର ସାଟେଲାଇଟ ତଥ୍ୟ କୁ ଗଭୀର ଭାବେ ଅନୁଧ୍ୟାନ କଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇପାରିଛି । ସମ୍ପୃକ୍ତ ଚୋରା ବେପାରୀ ମାନଙ୍କ ବହୁ ବଳ ଓ ଅର୍ଥ ବଳ ପ୍ରଭାବରେ ପ୍ରତ୍ୟକ୍ଷଦର୍ଶୀ ମାନେ ମଧ୍ୟ ଭୟରେ ମୂହ ଖୋଲୁ ନ ଥିବାର ଅନୁମାନ କରାଯାଉଛି । ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।
