ତଥ୍ୟର ସୁରକ୍ଷା ପାଇଁ ଦେଶରେ କଡ଼ାକଡି଼ ନିୟମ ଜରୁରୀ- ଏସ୍.ଏନ୍ ମିଶ୍ର
ଓଡ଼ିଶା ବାର୍ତ୍ତା
ଢେଙ୍କାନାଳ: ଡିଜିଟାଲ ଯୁଗରେ ସବୁଠୁ ଚାଲେଞ୍ଜ ହେଉଛି ଗୋପନୀୟତା । ଟେକ୍ନୋଲୋଜିର ଉନ୍ନତି ଫଳରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବହୁ ପାଶ୍ଚାତ୍ୟ ଦେଶରେ ତଥ୍ୟର ସୁରକ୍ଷା ନେଇ କଡ଼ାକଡି଼ ନିୟମ ରହିଛି । ସେପରି ଭାରତରେ ମଧ୍ୟ ଏକ ଦୃଢ଼ ଆଇନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ ପ୍ରଫେସର ଏସ.ଏନ ମିଶ୍ର ।
ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ଶନିବାର ଅପରାହ୍ଣରେ ‘ଗୋପନୀୟତା, ସୁରକ୍ଷା ଏବଂ ନୀତି– ତଥ୍ୟ ସୁରକ୍ଷା ସମ୍ପର୍କୀତ ଆଇନକୁ ନେଇ ବିଭିନ୍ନ ପ୍ରସଙ୍ଗ’ ଶୀର୍ଷକ ଆଲୋଚନା ହୋଇଥିଲା । ଏଥିରେ ପ୍ରଫେସର ମିଶ୍ର ସ୍ୱତନ୍ତ୍ର ଅଭିଭାଷଣ ରଖି କହିଥିଲେ । ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ବିଷୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଟେକ୍ନୋଲୋଜି ନ ଆସିବା ପୂର୍ବରୁ ଗୋପନୀୟତା ପ୍ରସଙ୍ଗରେ କୌଣସି ଆଲୋଚନା ହେଉନଥିଲା । ଡିଜିଟାଲ ଯନ୍ତ୍ରର ବ୍ୟାପକ ବ୍ୟବହୃତ ହିଁ ଏ ସମସ୍ୟାକୁ ଛିଡ଼ା କରିଛି । ଆମେ ପ୍ରତ୍ୟେକେ ତୃତୀୟ ପକ୍ଷ ସହ ବ୍ୟକ୍ତିଗତ ତଥ୍ୟ ବାଣ୍ଟୁଛୁ । ଯାହା ଅନେକ ସମୟରେ ଆମ ପାଇଁ ବିପଦ ଆଣୁଛି । ତେଣୁ ତଥ୍ୟର ସୁରକ୍ଷା ଜରୁରୀ ହୋଇପଡି଼ଛି ।
ପ୍ରଫେସର ଶ୍ରୀ ମିଶ୍ର ଏ ପ୍ରସଙ୍ଗକୁ ବିଶ୍ୱ ସ୍ତରୀୟ ପ୍ରେକ୍ଷାପଟ୍ଟରେ ଆଲୋଚନା କରିଥିଲେ । ସେ କହିଥିଲେ, ବ୍ୟକ୍ତିଗତ ଗୋପନୀୟତାର ଆବଶ୍ୟକତା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏହା ବ୍ୟକ୍ତିର ମୌଳିକ ଅଧିକାର । ମାତ୍ର ଆଜିର ଦିନରେ ଟେକ୍ନୋଲୋଜିର ବିକାଶ ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ହାତରେ ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ସଂଯୋଗ ବଡ଼ ବିପଦ ଆଣିଛି । ପାରିବାରିକ, ଆର୍ଥିକ ତଥ୍ୟ ସହ ଧାର୍ମିକ, ରାଜନୈତିକ ବିଶ୍ୱାସର ତଥ୍ୟ ସହଜରେ ଉପଲବ୍ଧ ହେଇପାରୁଛି । ସରକାର ଏନେଇ ବହୁ ଆଇନ ଆଣିଥିବା ବେଳେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ ମୁହାଁମୁହିଁ ସ୍ଥିତି ହୋଇଛି । ଫେସବୁକ, ହ୍ୱାଟସଆପ, ଟ୍ୱିଟର ପରି ସାମାଜିକ ଗଣମାଧ୍ୟମରେ ତଥ୍ୟର ସୁରକ୍ଷା ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହାର ସମାଧାନ ସହ ଏକ କଠୋର ନୀତି ସରକାର ଆଣିବା ଦରକାର ।
ସେ ଆହୁରି କହିଥିଲେ, ଇଂଲଣ୍ଡରେ ତଥ୍ୟର ସୁରକ୍ଷା ନେଇ ସୁଦୃଢ଼ ଆଇନ ରହିଛି । ଋଷିଆର କୌଣସି ନାଗରିକଙ୍କ ତଥ୍ୟ ଅନ୍ୟ କୌଣସି ଦେଶର ଲୋକେ ସଂଗ୍ରହ କରିପାରିବେ ନାହିଁ– ସେ ନେଇ ଆଇନ ରହିଛି । ସେପରି ଭାରତରେ ମଧ୍ୟ ଲୋକଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେଇ ସରକାର ଦୃଢ଼ ଆଇନ ଆଣିବା ଦରକାର । ଅନ୍ୟପକ୍ଷେ ଗୋପନୀୟତା ନାଁରେ ଯେପରି ଜାତୀୟ ସୁରକ୍ଷା ଓ ସାର୍ବଭୌମତା ପ୍ରତି କୌଣସି ବିପଦ ନ ଆସେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର ।
ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ସଂସ୍ଥାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।