ପାଞ୍ଚଜଣ ଜାଲ୍ ଶିକ୍ଷକଙ୍କ ନାମରେ ମାମଲା ରୁଜୁ
Jayakrushna Majhi,Bureau,Odishabarta
କୋଦଳା:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଶିକ୍ଷାବିଭାଗରେ ପୁର୍ବରୁ ଦୁଇଜଣ ଶିକ୍ଷକଙ୍କ ନାମରେ ଏତଲା ହୋଇଥିବା ବେଳେ ସେମାନେ ଆଗୁଆ ଜାମିନି ନେଇ ଫେରି ଆସିଥିଲେ , ବର୍ତ୍ତମାନ ପୁଣି ପାଞ୍ଚ ଜଣ ଜାଲ୍ ଶିକ୍ଷକଙ୍କ ନାମର ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୁଚନା ପ୍ରଦାନ କରିଛନ୍ତି। ଏନେଇ ଘୋଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୈତାରୀ ବେହେରା ଚାକିରୀରୁ ଇସ୍ତଫା ଦେଇଛନ୍ତି। ପୁର୍ବରୁ ଫାସି ପଞ୍ଚାୟତର ନାଠୁଳି ୟୁପି ସ୍କୁଲ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଓ ମଙ୍ଗଳ ୟୁପି ସ୍କୁଲ ଶିକ୍ଷକ ପରାମାନନ୍ଦ ସାହୁଙ୍କ ନାମରେ ଏତଲା ଦିଆଯାଇଥିଲା। ଏମାନେ କିଛିଦିନ ଫେରା ରହି ଆଗୁଆ ଜାମିନି ନେଇ ଫେରି ଆସିଥିଲେ।ସେତେବେଳେ ଆଉ କେହି ଜାଲ୍ ଶିକ୍ଷକ ନାହାନ୍ତି ବୋଲି ଶିକ୍ଷା ବିଭାଗ କହିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ଏହାକୁ ନେଇ ପୁଣି ସମରଜିତ୍ ମହାନ୍ତି ବିଭିନ୍ନ ସମୟରେ ସରକାର ଓ ଜିଲ୍ଲା ଶିକ୍ଷା ଅଧିକରୀଙ୍କୁ ଅବଗତ କରାଇ ଆସୁଥିଲେ ଏବଂ ଏହାକୁ ଶିକ୍ଷା ବିଭାଗ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଥିଲେ।ସେହି ଆଧାରରେ କୋଦଳା ଥାନାରେ ବେଗୁନିଆପଡା ବିଇଓ କମଳାକାନ୍ତ ସାହୁ ପାଞ୍ଚ ଜଣ ଜାଲ୍ ଶିକ୍ଷକଙ୍କ ନାମରେ ଏତଲା ଦେଇଥିବା ଜଣାପଡିଛି।
ଏହି ଏତଲାକୁ ଆଧାର କରି କୋଦଳା ଥାନା ପକ୍ଷରୁ ଚନ୍ଦନପୁର ପଞ୍ଚାୟତର ତୋଟାପଡା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାକର ଦାସ,ଫାସି ପଞ୍ଚାୟତ ବିଲିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରି ଶିକ୍ଷକ ତୋଫାନ ସ୍ବାଇଁ , କେ.ବରିଡା ୟୁପି ସ୍କୁଲ ଶିକ୍ଷକ ପ୍ରହହ୍ଲାଦ ରାଉତ , ଏ.ସାଳବଣ ୟୁପି ସ୍କୁଲର ଶିକ୍ଷକ ସମରଜିତ୍ ସେଠୀ ଏବଂ ସାଙ୍କୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟନାରାୟଣ ସେଠୀଙ୍କ ନାମରେ ପୃଥକ ପୃଥକ ଭାବେ ୧୧,୧୨,୧୩,୧୪,୧୫/୧୪–ଜାନୁୟାରୀ ୨୦୨୧ ରେ ମାମଲା ରୁଜୁ କରାହୋଛି। ବର୍ତ୍ତମାନ ସେମାନେ ଫେରାର୍ ଅଛନ୍ତି ବୋଲି ଥାନା ଅଧିକାରୀ ଦେବଶିଷ ମହାନ୍ତି ପ୍ରକାଶ କରିଛନ୍ତି।
