ପରିବେଶର ପାଇଁ ବୈରୀ ସାଜିଛି ପଲିଥିନ, ଅନେକ ସଚେତନତା ସତ୍ୱେ ବିକଳ୍ପ ପାଇଁ ଅମଙ୍ଗ ଜନତା ଓ ବ୍ୟବସାୟୀ
ସ୍ଵାଧୀନ କୁମାର ସାହୁ, ଓଡିଶା ବାର୍ତ୍ତା
ବ୍ରହ୍ମପୁର :ଗଞ୍ଜାମ- ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ଏହି ଦିବସରେ ସମସ୍ତେ ନିଜ ଚତୁପାର୍ଶରକୁ ସଫା ରଖିବା ସହିତ ପରିବେଶକୁ ନଷ୍ଟ କରୁଥିବା ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବା ପୂର୍ବକ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଶପଥ ନେଇଥାନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଆମ ପରିବେଶରେ କମିନି ପଲିଥିନର ମାତ୍ରା। ୧୯୯୦ ମସିହାରେ ଭାରତର ଜନସାଧାରଣଙ୍କ ମୁଣ୍ଡପିଚ୍ଛା ପ୍ଲାଷ୍ଟିକ ବ୍ୟବହାରର ମାତ୍ରା ୧ କିଲୋଗ୍ରାମ ରହିଥିବା ବେଳେ ବର୍ତ୍ତମାନ ତାହା ୧୫ କିଲୋଗ୍ରାମରେ ପହଞ୍ଚିଛି। ସେହିପରି ପ୍ରତି ବର୍ଷ ସାରା ବିଶ୍ୱରେ ୪୦ କୋଟି ଟନ ପ୍ଲାଷ୍ଟିକର ମାତ୍ରା ବୃଦ୍ଧି ହେଉଥିବା ବେଳେ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। କାରଣ ଏହି ପ୍ଲାଷ୍ଟିକର ୮୫ ପ୍ରତିଶତ ପ୍ଲାଷ୍ଟିକ କେବଲ ଗୋଟିଏ ଥର ବ୍ୟବହୃତ ହୋଇଥାଏ ଏବଂ ଏହାପରେ ସେ ପାଣିରେ ମିଶିବା ସହ ସମୁଦ୍ରକୁ ଯାଇଥାଏ ଯାହାକି ସବୁଜ ଘର ଗ୍ୟାସ ଉପରେ ବେଶ ପ୍ରଭାବ ପକାଇଥାଏ। ପ୍ରାତଃ ସକାଳ ଠାରୁ ଆରମ୍ଭ କରି ରାତ୍ରରେ ସୟନ କରିବା ପର୍ଯ୍ୟନ୍ତ ପ୍ରତିଦିନ ନିଜର ନିତ ବ୍ୟବହୃତ ଦ୍ରବ୍ୟ କ୍ରୟ କରି ଘରକୁ ନେବା ପାଇଁ ପଲିଥିନର ବ୍ୟବହାର କରୁଛନ୍ତି ଜନ ସାଧାରଣ। ସେ ପରିବା ବଜାର ହେଉ କିମ୍ବା ଫଳ ଦୋକାନ, ସେ ହୋଟେଲ ହେଉ କିମ୍ବା ସପିଙ୍ଗ ମଲ ସବୁଠି ବ୍ୟବହୃତ ହେଉଛି ପରିବେଶର ଶତ୍ରୁ ପଲିଥିନ। ଏହାର ବ୍ୟବହାରକୁ କମାଇବା ସହିତ ଏହାର ବିକଳ୍ପ ଭାବେ କପଡା ଏବଂ କାଗଜ ବ୍ୟାଗର ବ୍ୟବହାର କରିବା ପାଇଁ ସରକାରୀ ସ୍ଥରରେ ହେଉ କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ପ୍ରତିଦିନ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଜନତାଙ୍କ ଉପରେ ତାହାର ଆଂଶିକ ପ୍ରଭାବ ପଡିଛି । ସେହିପରି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତି ଠାରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲେ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛୋଟ ବଡ ଦୋକାନରେ ଚଢାଉ କରାଯିବା ସହିତ ଲୋକଙ୍କ ମଧ୍ୟରେ ସାମୁହିକ ସଚେତନତା କାର୍ୟ୍ଯକ୍ରମ ହାତକୁ ନିଆ ଯାଇଥିଲା। ଏହି ସମୟରେ ସାଧାରଣ ଲୋକେ କିଛି ମାତ୍ରାରେ ସଚେତନ ହେବା ସହିତ ବିକଳ୍ପ ଭାବେ କପଡା ଓ କାଗଜ ବ୍ୟାଗକୁ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଜିଲ୍ଲା ତଥା ଏହାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହରରେ ପଲିଥିନର ବ୍ୟବହାର ପୂର୍ବ ଠାରୁ ଅଧିକ ମାତ୍ରାରେ ହେବାରେ ଲାଗିଛି। ସେହିପରି ପ୍ରତିଦିନ ସକାଳ ସମୟରୁ ସହରର ପ୍ରମୁଖ୍ ପରିବା ବଜାର ମାନଙ୍କୁ ଟ୍ରକ ଟ୍ରକ ପରିବା ପଲିଥିନରେ ପ୍ୟାକିଙ୍ଗ ହୋଇ ଆସୁଥିବାର ନଜିର ରହିଛି। ପୂର୍ବରୁ ଯାହା ଝୋଟ ଅଖାରେ ପ୍ୟାକିଙ୍ଗ ହୋଇ ଆସୁଥିଲା। ବର୍ତ୍ତମାନ ତାହା ଚିନ୍ତା ବଢାଇ ଥିବା ବେଳେ ଜନତା ମଧ୍ୟ କପଡା ବ୍ୟାଗ ବଦଳରେ ଘରକୁ ପରିବା ନେବା ପାଇଁ ପଲିଥିନକୁ ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ସେହିପରି ସହରର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ ଦୋକାନ, ବୁଲା ବ୍ୟବସାୟୀ, ରାସ୍ତା କଡ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଲିଥିନକୁ ନେଇ କୌଣସି ରୋକ ନଥିବାରୁ ସେମାନେ ଖୁଲମଖୁଲା ତାହାର ବ୍ୟବହାର କରୁଛନ୍ତି। ତେବେ ବର୍ତ୍ତମାନ ବି ଜନ ସାଧାରଣ ଯଦି ଏହାକୁ ନେଇ ସଚେତନ ନହୁଅନ୍ତି ତେବେ ଆଗାମୀ ଦିନରେ ଏହି ପଲିଥିନ ପରିବେଶକୁ ସମ୍ପୂର୍ଣ୍ଣ ଗ୍ରାସ କରିବା ସହ ନଷ୍ଟ କରିଦେବ। ସେଥିପାଇଁ ବର୍ତ୍ତମାନ ସମୟ ଆସିଛି ଆଜିର ଏହି ପରିବେଶ ଦିବସରେ ସମସ୍ତେ ଶପଥ ଗ୍ରହଣ କରିବା ସହିତ ଏହାର ବ୍ୟବହାରକୁ ଯେତେ ମାତ୍ରାରେ କମାଇ ପାରିବା ସେ ନେଇ ଚେଷ୍ଟା କରିବା ପାଇଁ।
ସେହିପରି ବ୍ରହ୍ମପୁର ସହରରେ ପ୍ରତିଦିନ ବିଭିନ୍ନ ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବା ପାଇଁ ସଚେତନତା କରାଯାଉଥିବା ବେଳେ ବର୍ତ୍ତମାନ ୫୦ ପ୍ରତିଶତ ଲୋକ ଏହାକୁ ନେଇ ସଚେତନ ହୋଇଛନ୍ତି। ଏହା ସହିତ ଅନ୍ୟ ସହର ଅପେକ୍ଷା ଆମ ସହରର ଲୋକେ ବହୁ ମାତ୍ରାରେ ଘରୁ କପଡା ବ୍ୟାଗ ଆଣି ପରିବା ବଜାରକୁ ଆସୁଛନ୍ତି। ପୂର୍ବପରି ପୁଣିଥରେ ଯଦି ପ୍ରଶାସନ ପକ୍ଷରୁ ଏହାର ବ୍ୟବହାରକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତେ ତେବେ ୨୦୧୮ ମସିହାର ସେହି ସ୍ୱପ୍ନ ସାକାର ହୋଇ ପାରନ୍ତା ବୋଲି ଆର୍ଯ୍ୟଭଟ୍ଟ ପାଉଣ୍ଡେସନର ମୁଖ୍ୟ ସୁଧିର ରାଉତ କହିଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲ ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ପଲିଥିନ ବ୍ୟବହାର କରୁଥିବା ଦୋକାନୀ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଏହା ସହିତ ସେମାନଙ୍କ ଠାରୁ ଜବତ ପ୍ଲାଷ୍ଟିକକୁ ନଷ୍ଟ କରାଯାଉଛି। ଏବଂ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ସାମୁହିକ ସଚେତନତା ସୃଷ୍ଟି କରାଯାଉଛି । ସେହିପରି ଲୋକଙ୍କ ମଧ୍ୟରେ କପଡା ଓ କାଗଜର ପ୍ରଚାର ପ୍ରସାର କରିବା ପାଇଁ ମିଶନ ଶକ୍ତି ମହିଳା ମାନଙ୍କୁ ଏହା ତିଆରି କରିବା ଓ ବଜାରରେ ବିକ୍ରି କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି ବୋଲି ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ଆର୍ଶିବାଦ ପରିଡା କହିଛନ୍ତି।