ନିରାଶ୍ରୟା ବୃଦ୍ଧାଙ୍କୁ ଥଇଥାନ କଲା ପ୍ରଶାସନ
ଓଡ଼ିଶା ବାର୍ତ୍ତା
ବ୍ରହ୍ମପୁର : ଜଣେ ନିରାଶ୍ରୟା ବୃଦ୍ଧା ଦିର୍ଘ ୪ ଦିନ ଧରି ନୁଆ ବ୍ରହ୍ମପୁର ବସ୍ ଷ୍ଟାଣ୍ଡ ଠାରେ ଅସହାୟ ଅବସ୍ଥାରେ ପଡ଼ିରହିଥିଲା । କୌଣସି ମତେ ଉକ୍ତ ଘଟଣା ଗୋସେବା ସଂଗଠନର ଜୈନିକ ସଦସ୍ୟ ଜିତେନ୍ଦ୍ର ପାହାନଙ୍କ ଦୃଷ୍ଟି ଗୋଚର ହୋଇଥିଲା । ବୃଦ୍ଧାଙ୍କର ଅସହାୟ ଅବସ୍ଥାକୁ ହୃଦୟଙ୍ଗମ କରି ଜିତେନ୍ଦ୍ର ପାହାନ ଅନୁଷ୍ଠାନର ସଭାପତି ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ। ଦୁହେଁ ଘଟଣାର ଗୁରୁତ୍ୱକୁ ଦେଖି ଅସହାୟ ବୃଦ୍ଧଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନକୁ ଅବଗତ କରାଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି କିର୍ତ୍ତି ଭାସନଙ୍କ ନିର୍ଦେଶ କ୍ରମେ ସହକାରୀ ଉପଜିଲ୍ଲାପାଳ ବିନୋଦ ବେହେରା ଓ ମହାନଗର ନିଗମର ସିଟି ମ୍ୟାନେଜର ଅରୁଣ କୁମାର ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଗୁରୁତ୍ବର ସହ ନେଇ ଉକ୍ତ ଅସହାୟ ବୃଦ୍ଧା ସିଏଚ୍ ଦମୟନ୍ତି (୬୨)ଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାୟଲ୍ ସିନେମା ହଲ ନିକଟରେ ଥିବା ସହରାଞ୍ଚଳ ବାସହୀନଙ୍କ ନିମନ୍ତେ ଥିବା ଆଶ୍ରୟ ସ୍ଥଳିକୁ ନେଇ ସେଠାରେ ଥଇଥାନ କରିଥିଲେ । ପ୍ରକାଶ ଥାଉକି, ଉକ୍ତ ବୃଦ୍ଧାଙ୍କ ବର୍ତ୍ତମାନ ଏକ ମାତ୍ର ପୁଅ ଶ୍ରୀନିବାସ ପଟ୍ଟନାୟକ ହାଇଦ୍ରାବାଦ୍ ସ୍ଥିତ ଘରେଇ ସଂସ୍ଥାରେ ସାମ୍ବାଦିକତା କରି ଉଚ୍ଚ ଦରମାରେ କାର୍ଯ୍ୟରତ ଥିଲେ ମଧ୍ୟ ମା‘ର ଭରଣ ପୋଷଣ ଦାୟିତ୍ବ ନନେଇ ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ବୃଦ୍ଧାଙ୍କ ଦୁଇ ଝିଅ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିଲେ ମଧ୍ୟ ବୃଦ୍ଧା ମା‘ଙ୍କର କୌଣସି ଦାୟିତ୍ଵ ନନେବା ଫଳରେ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ବସ୍ ଷ୍ଟାଣ୍ଡ ନିକଟରେ ପଡ଼ିଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ସହରବାସୀ ସାବାସି ଜଣାଇଛନ୍ତି ।