ବ୍ରହ୍ମପୁର ରେ କଳିଙ୍ଗ ମହୋତ୍ସବ ଉଦଘାଟିତ, ନୃତ୍ୟମୂଖ୍ୟଆକର୍ଷଣ
ଓଡିଶା ବାର୍ତ୍ତା
ବ୍ରହ୍ମପୁର ୭/୩ –କଳା ସଂସ୍କୃତି ଓ ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ରେଶମ ସହର ବ୍ରହ୍ମପୁରରେ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି । ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଓ କଳିଙ୍ଗ ଟିଭିର ସହଯୋଗରେ ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ଚତୁର୍ଥ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ରୂପେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମାଜ ଖବର କାଗଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ା ଉମା ଶଙ୍କର ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦାନ କରି କଳା ସଂସ୍କୃତିକୁ ଉଜ୍ଜବିତ ରଖିବା ପାଇଁ ଓ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ସାଂସ୍କୃତିକ ମଂଚ ପ୍ରଦାନ ପାଇଁ ଅଭିଷେକ କ୍ରିଏସନ୍ ର ଏପରି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ ସମେତ ସଂଗୀତ ପରିବେଷଣ କରିଥିଲେ । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାହ୍ନୁ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର, ମାନସ, ଟୁଟୁ, ରବି, କେଦାରନାଥ ଚୌଧୁରୀ, ଉଷା ମହାପାତ୍ର , ବିଶ୍ୱନାଥ , ପ୍ରମୁଖ ସହଯୋଗ କରିଥିଲେ । ମହୋତ୍ସବ କମିଟିର ଉପାଧ୍ୟକ୍ଷ ସୁଦୀପ କୁମାର୍ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
