ବ୍ରହ୍ମପୁର ବାରାକ ଷ୍ଟାଡିୟମ ର ତାଲା ଖୋଲିବା ଓ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
ଓଡିଶାବାର୍ତ୍ତା
ବ୍ରହ୍ମପୁର : ଆଜି ବ୍ରହ୍ମପୁର ବାରାକ ଷ୍ଟାଡିୟମ ସମ୍ମୁଖ ରେ, ଷ୍ଟାଡିୟମ କାମକୁ ତୁରନ୍ତ ସମାପ୍ତ କରି ଖେଳାଳିଙ୍କ ପାଇଁ ତାଲା ଖୋଲିବା ଓ ବ୍ରହ୍ମପୁର ପ୍ରତି ଅବହେଳା ବନ୍ଦ କରି ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନୁକୁଲ୍ୟରେ ଆନ୍ଦୋଳନ ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି।
ସୂଚନା ଯୋଗ୍ୟ, ବ୍ରହ୍ମପୁର ବାରାକ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଗତ ୪୦ ବର୍ଷ ହେଲା ଚାଲିଥିବା ବେଳେ ଗତ ୨୦୧୭ ରେ କେନ୍ଦ୍ର ସରକାର ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ ନିର୍ମାଣ ପାଇଁ ଏନସିସି ବିଭାଗ ପାଖରେ ଥିବା ଜାଗା କୁ ହସ୍ତାନ୍ତର କରିଥିଲେ। ୨୦୧୭ ରୁ ଏହି ଐତିହାସିକ ଷ୍ଟାଡିୟମ ର ନବିନିକରଣ କାର୍ଯ୍ଯ ଚାଲିଥିବା ବେଳେ ଏହା ତିନି ବର୍ଷ ମଧ୍ୟରେ ସରିବାର ଥିଲା। କିନ୍ତୁ ଗତ ସାତ ବର୍ଷ ହେଲା କାର୍ଯ୍ଯ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇପାରି ନାହିଁ।
ଠିକାଦାର ସଂସ୍ଥା କୁ ଗତ ଦିନରେ ପରିଦର୍ଶନ ରେ ଆସି ରାଜ୍ୟ କ୍ରିଡ଼ାମନ୍ତ୍ରୀ, ଓଡ଼ିଶା ମୁଖ୍ୟ ଶାସନ ସଚିବ, 5T ସଚିବ, ସ୍ପୋର୍ଟସ ସଚିବ, ଗଞ୍ଜାମ ଜିଲ୍ଲାପାଳ, ବି.ଏମ୍.ସି କମିଶନର ବାରମ୍ବାର ତାଗିଦ୍ କରିଥିଲେ ମଧ୍ୟ ଠିକାଦାର ଉପରେ କାହାର ପ୍ରଭାବ ପଡିନଥିବା ପରିଲକ୍ଷିତ ହେଉଛି। ତିନି ବର୍ଷ ର କାମକୁ ସାତ ବର୍ଷ ଲଗାଇଥିଲେ ମଧ୍ୟ ଏହି ସଂସ୍ଥା ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ କାହାର ସାହସ ନାହିଁ।
ଅନ୍ୟ ପକ୍ଷରେ ନା ଏହି ଷ୍ଟାଡିୟମ ରେ ଦର୍ଶକଙ୍କ ବସିବା କ୍ଷମତା ରେ ବୃଦ୍ଧି କରାଯାଇଛି, ନା ଫ୍ଲଡ ଲାଇଟ୍ ଲଗାଇବା ବ୍ୟବସ୍ଥା କରାଯାଇଛି। ୱେଟ୍ ଲିଫ୍ଟିଂ, ବକ୍ସିଂ ପ୍ରଭୃତି ବିଭାଗ ଯାହା ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ କୁ ନିଆ ଯାଇଥିଲା ତାକୁ ଫେରାଇ ଆଣିବାକୁ ବି ଚେଷ୍ଟା କରା ଯାଉ ନାହିଁ। ଗତ ୭ ବର୍ଷ ହେଲା ଖେଳାଳି ଙ୍କ ପାଇଁ ଏହି ଷ୍ଟାଡିୟମ ତାଲା ବନ୍ଦ ଥିବାରୁ, ଦକ୍ଷିଣ ଓଡ଼ିଶା ର ଖେଳାଳି ଅଭ୍ୟାସ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ଅବସରରେ, ଗଞ୍ଜାମ ଜିଲ୍ଲା ପ୍ରତି ଭେଦଭାବ ପୂର୍ଣ୍ଣ ନୀତି ତୁରନ୍ତ ବନ୍ଦ କରି ରାଜ୍ୟ ସରକାର, ଏହି ଐତିହାସିକ ବାରାକ ଷ୍ଟାଡିୟମ ର ତାଲା ତୁରନ୍ତ ଖୋଲିବା ପାଇଁ ଫୋରମ୍ କାର୍ଯ୍ୟକର୍ତ୍ତା ଆହ୍ବାନ ଦେବା ସହ ଜନ ଜାଗରଣ ନିମନ୍ତେ ପତ୍ରିକା ବିତରଣ କରିଥିଲେ।
ସେହିପରି, ଗତ ମାର୍ଚ୍ଚ ୫ ତାରିଖରୁ ବ୍ରହ୍ମପୁର ରୁ ଭୁବନେଶ୍ଵର କୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ ରଙ୍ଗେଇଲୁଣ୍ଡା ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ର ବିକାଶ କାର୍ଯ୍ୟ କୁ ବିଭିନ୍ନ ବାହାନା ଦେଖାଇ ସରକାର ଘୁଞ୍ଚାଇ ଚାଲିଛନ୍ତି। ତେଣୁ ଆଉ କେତେଦିନ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନବନ୍ଦର ନାଁରେ ଓଡ଼ିଶା ସରକାର ଗଞ୍ଜାମ ବାସୀଙ୍କୁ ଲଲିପପ ଦେବେ ବୋଲି କାର୍ଯ୍ୟକର୍ତ୍ତା ମାନେ ପ୍ରଶ୍ନ କରିଥିଲେ।
ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରି ଡି.ଜି.ସି.ଏ ଅନୁମତି ଆଣିବା, ବ୍ରହ୍ମପୁରରୁ ତୁରନ୍ତ ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବିଶାଖାପାଟଣା, ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, ଚେନ୍ନାଇ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ଏହି ଅବସରରେ ଦାବି କରଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ବାଳକୃଷ୍ଣ ସାମନ୍ତରାୟ, ବିନୋଦ ସାବତ, ଆଦିତ୍ୟ ରଥ, ଏନ୍. ନୀଳମାଧବ ପାତ୍ର, K ଶ୍ରୀନିବାସ ରାଓ, ପ୍ରକାଶ ଭଜାନି ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।