ଅଟୋ ଦୁର୍ଘଟଣା :୨୫ ଜଣ ଆହତ :୪ ଜଣ ଗୁରୁତର
ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା
ବାଲିଗୁଡା,୦୫/୦୭.( କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ୫୯ ନଂ.ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ନିକଟରେ ଏକ ପାସେଞ୍ଜର ଅଟୋ ନଂ.ଓଡ଼ି–୧୨–ଡ଼ି–୩୩୨୪ ରେ ୨୫ ଜଣ ଲୋକଙ୍କୁ ଧରି ସୋମବାର ଅପରାହ୍ନରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଅଟୋଟି ୨୫ ଜଣ ଯାତ୍ରୀଙ୍କୁ ବସାଇ ଦ୍ରୁତଗତିରେ ଯାଉଥିବା ସମୟରେ ରାସ୍ତା ଉପରେ ଗାଇଗୋରୁ ରହିଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲୋଟି ପଡିଥିଲା । ଫଳରେ ଅଟୋ ଭିତରେ ବସିଥିବା ୨୫ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଥିବା ବେଳେ ବୃଦ୍ଧବୃଦ୍ଧା ଓ ମଧ୍ୟ ବୟସ୍କ ଲୋକ ରହିଥିଲେ । ୨୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡିକାଲକୁ ରେଫର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସିମନବାଡ଼ି ମେଡିକାଲରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଛାଡି ଦିଆଯାଇଥିଲା । ଗୁରୁତର ୪ ଜଣ ହେଲେ ଅରାକାମ୍ବା ଗ୍ରାମର ଏକ ବର୍ଷର ଶିଶୁ ବର୍ଷା ମଳିକ, ଚିଣ୍ଟୁ ମଳିକ(୧୬), କାନିରୀ ମଳିକ (୬୦),ଲଳିତା ପ୍ରଧାନ(୩୫) । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ବିରେନ୍ଦ୍ର ପ୍ରଧାନ ଓ ଉମାଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଥି ସହିତ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ପଚାରି ବୁଝିଥିବା ଜଣାପଡିଛି l