ମାଲକାନଗିରି ରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମମତା ଜେନା, ଜିଲ୍ଲା ପ୍ରତିନିଧି
ମାଲକାନଗିରି 11 ଅଗଷ୍ଟ 2026 : ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଯୌତୁକ ପ୍ରଥା ନିଷେଧ ଆଇନ, 1961 ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି l ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କ ରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କ ରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା l
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୌତୁକ ପ୍ରଥା ନିଷେଧ ଆଇନ 1961 ପ୍ରମୁଖ ବ୍ୟବସ୍ଥା, ଯୌତୁକ ଦେବା, ନେବା ଓ ଦାବି କରିବାର ଆଇନଗତ ପରିଣାମ, ଯୌତୁକ ପ୍ରଥା ନିରାକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ଯୌତୁକ ପ୍ରଥା ସମ୍ବନ୍ଧୀୟ ଅଭିଯୋଗ ର ପ୍ରକ୍ରିୟା, ଆଇନଗତ ସହାୟତା ଏବଂ ବିବାହ ପଞ୍ଜିକରଣ କ୍ଷେତ୍ର ରେ ସଂମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏହା ସହ ଯୌତୁକ ପ୍ରଥା ମୁକ୍ତ ସମାଜ ଗଠନ ରେ ପୋଲିସ, ଶିକ୍ଷାଅନୁଷ୍ଠାନ, ଧାର୍ମିକ ନେତା, ସ୍ଵୟଂ ସହାୟକ ଗୋଷ୍ଠୀ ସାମାଜିକ ସଂଗଠନଗୁଡିକର ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା l
କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ନୀଳମଣି ତିଳକଚାନ୍ଦ ବେହେରା ଏବଂ ସହକାରୀ ପ୍ରବନ୍ଧକ (ଆଇନ ) ସୂର୍ଯ୍ୟ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମ ର ସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଥିଲେ l ସୁରକ୍ଷା ଅଧିକାରୀ ଟି. ଜୟ ଲଷ୍ମୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମିନାକ୍ଷୀ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ଏହି ପ୍ରଶିକ୍ଷଣ ରେ ଜିଲ୍ଲାର ବିଭିନ୍ନ ସରକାରୀ ସଂସ୍ଥା ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନର ପ୍ରତିନିଧି ମାନେ ବହୁ ସଂଖ୍ୟା ରେ ଅଂଶଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରେ ଏକକ ସେବା କେନ୍ଦ୍ର ( ସଖୀ ) ଶକ୍ତି ସଦନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟକ୍ରମ ପ୍ରତିନିଧି, ସମସ୍ତ ଥାନାର ଆରକ୍ଷୀ ନିରୀକ୍ଷକ ପୋଲିସ ପ୍ରତିନିଧି, ଯୌତୁକ ନିରୋଧୀ ଶାଖାର ପ୍ରତିନିଧି ଏବଂ ସମସ୍ତ ତହସିଲଦାର / ବିବାହ ପଞ୍ଜିକରଣ ଅଧିକାରୀ ଯୋଗ ଦେଇଥିଲେ l
