ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ

GJM-GRIEVANCE

ଆବେଦନର ଶତପ୍ରତିଶତ ସମାଧାନ ଉପରେ ଗୁରୁତ୍ୱ

ଓଡ଼ିଶା ବାର୍ତ୍ତା

ବ୍ରହ୍ମପୁର, ଜୁଲାଇ: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା ଜନଶୁଣାଣୀରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ

ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହ ଆବେଦନଗୁଡ଼ିକର ଶତପ୍ରତିଶତ ନିଷ୍ପତ୍ତି ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ

ଜନଶୁଣାଣୀରେ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଭତ୍ତା, ଖାଉଟି କାର୍ଡ, ଅନ୍ତ୍ୟୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ସାମୂହିକ ଉନ୍ନୟନ ଏବଂ ବ୍ୟକ୍ତିଗତ ସହାୟତା ସମ୍ବନ୍ଧୀୟ ଆବେଦନ ଉପରେ ବିଚାର କରାଯାଇଥିଲା। ସେହିପରି ସୁଭଦ୍ରା ହେଲ୍ପ ଡେସ୍କ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା

ଏହି ଜନଶୁଣାଣୀରେ ମୋଟ ୧୧୩ଟି ଆବେଦନ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୯୦ଟି ବ୍ୟକ୍ତିଗତ, ୯ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଆବେଦନ ଥିବା ବେଳେ ୩ଟି ଆବେଦନର ତତ୍କାଳ ସମାଧାନ କରାଯାଇଥିଲା। ଏହାସହ ୧୧ ଜଣ ହିତାଧିକାରୀଙ୍କୁ ରେଡ୍ କ୍ରସ ପାଣ୍ଠିରୁ ମୋଟ ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା

ଜନଶୁଣାଣୀ ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ସକ୍ରିୟ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଏବଂ ସଦର ଏସ୍ଡିପିଓ ମଧ୍ୟ ଉପସ୍ଥିତ ଥିଲେ

ଭୀଷ୍ମଗିରିର ଏମ୍. ସୀମାଞ୍ଚଳ ପାତ୍ର ଏବଂ କଳମ, ବାଲିପଦରର ବଙ୍ଗାଳୀ ପ୍ରଧାନଙ୍କ ସମେତ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ସହାୟତା ଆବେଦନ ଏହି ଜନଶୁଣାଣୀର ଏକ ଉଲ୍ଲେଖନୀୟ ପ୍ରସଙ୍ଗ ଥିଲା