ଶ୍ରାବ୍ୟ ପୁସ୍ତକ ଉନ୍ମୋଚିତ
ଓଡ଼ିଶା ବାର୍ତ୍ତା
ଢେଙ୍କାନାଳ,୧୫ା୮: ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ‘ବ୍ୟକ୍ତିତ୍ୱ ବିକାଶ ମାର୍ଗ: କିଞ୍ଚିତ୍ ଦିଗ୍ଦର୍ଶନ’ ପୁସ୍ତକର ଶ୍ରାବ୍ୟ ସଂସ୍କରଣ ଉନ୍ମୋଚିତ ହୋଇଛି । ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ ଏହି ଶ୍ରାବ୍ୟ ପୁସ୍ତକକୁ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଉନ୍ମୋଚନ କରିଛନ୍ତି । ଶ୍ରାବ୍ୟ ସଙ୍କରଣଟି ଦୃଷ୍ଟିବାଧିତ, ଲିପିବାଧିତ ଓ ସମୟବାଧିତ ଲୋକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।
ପୁସ୍ତକଟିରେ ଉନ୍ମେଷଶୀଳ ତରୁଣ ତରୁଣୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଛି । ବହୁ ଲୋକଙ୍କ ଜୀବନରେ ଥିବା ଦୁର୍ବଳତାର ସମାଧାନ ପାଇଁ ଲେଖକ ସରଳ ମନସ୍ତତ୍ତ୍ୱ-ଭିତ୍ତିକ ରଚନା କରିଛନ୍ତି । ଯାହା ତରୁଣତରୁଣୀଙ୍କ ସମେତ ବୟସ ନିର୍ବିଶେଷରେ ବ୍ୟାପକ ପାଠକ ସମାଜର ହିତକର ହେବ । ଏଦିଗରୁ ବହିଟି ଗୁରୁତ୍ୱପୂର୍ଣ୍ଣ ବୋଲି ଉନ୍ମୋଚନ ଅବସରରେ ପ୍ରଫେସର ଚାଟାର୍ଜୀ ମତବ୍ୟକ୍ତ କରିଥିଲେ ।
ପୁସ୍ତକଟିକୁ ସଙ୍କଳନ କରିଛନ୍ତି ସମୀର ରଞ୍ଜନ ଦାସ । ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ କଣ୍ଠଦାନ କରିଛନ୍ତି । ସମ୍ପାଦନା କରିଛନ୍ତି ବୈଷୟିକ ସଂଯୋଜକ ବନ୍ଦ୍ରୀନାଥ ଜେନା । ଶ୍ରାବ୍ୟ ପୁସ୍ତକଟି ଆଇଆଇଏମସି ସ୍ଥିତ ‘ଜ୍ୟୋତି’(ଦୃଷ୍ଟିବାଧିତଙ୍କ ନିମନ୍ତେ ପାଠାଗାର)ରେ ସଂରକ୍ଷିତ ରହିବ । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଏହା ଶୁଣି ପାରିବେ ।