ଏଣିକି ଜିଲ୍ଲାବାସୀଙ୍କ ଅଭିଯୋଗ ଶୁଣାଣୀ ‘ଅନ୍ ଲାଇନ୍ ମୋ ନିବେଦନ’ ଜରିଆରେ ଅନୁଷ୍ଠିତ ହେବ ।
ଓଡ଼ିଶା ବାର୍ତ୍ତା
ଜିଲ୍ଲାବାସୀ ନିଜ ଅଞ୍ଚଳରେ ରହି ନିଜର ଅଭିଯୋଗ ଜଣାଇ ପାରିବେ ।
ଛତ୍ରପୁର ତା.୨୮.୦୬.୨୦୨୧ ରାଜ୍ୟ ସରକାରଙ୍କ ୫–ଟି କାର୍ଯ୍ୟଧାରା ଅନୁଯାୟୀ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ ଠିକ୍ ସମୟରେ କରିବା ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ବାହାର କରିଛନ୍ତି । କରୋନା କଟକଣା ଯୋଗୁଁ ଜନ ସାଧାରଣ ନିଜର ଆପତ୍ତି ଅଭିଯୋଗ ଗୁଡିକ ଜଣାଇବା ଦିଗରେ ପ୍ରତିବନ୍ଧକ ଦେଖାଯାଉଥିଲା ଏବଂ ଦୀର୍ଘ ଦିନ ହେଲା ସେମାନେ ଆପତ୍ତି ଅଭିଯୋଗ ଜଣାଇବାରେ ବଞ୍ଚିତ ହେଇ ଆସୁଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଏହି ‘ଅନ୍ ଲାଇନ୍ ମୋ ନିବେଦନ’ ନୂତନ ଚିନ୍ତାଧାରା ଦ୍ବାରା ଜିଲ୍ଲାବାସୀ ବିଶେଷ ଉପକୃତ ହୋଇ ପାରିବେ । ଏଣିକି ସେମାନେ ଜିଲ୍ଲା ସ୍ତରୀୟ କିମ୍ବା ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣୀକୁ ନ ଯାଇ ନିଜ ଅଞ୍ଚଳରେ ରହି ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପଥ ପରିଷ୍କାର ହେବ ଏବଂ ଏଥିରୁ ସେମାନେ ଅନେକାଂଶରେ ଉପକୃତ ହୋଇପାରିବେ ।
ପ୍ରତ୍ୟେକ ସୋମବାର ଦିନ ଏହି ମୋ ନିବେଦନ ଶୁଣାଣୀ ଅନ୍ ଲାଇନ୍ ମାଧ୍ୟମରେ ହେବ । ବ୍ଲକ୍ ଗୁଡିକୁ ନିର୍ଦ୍ଦିଷ୍ଟ ଦିନ ଓ ସମୟ ଦିଆଯିବ । ସେମାନେ ପଞ୍ଚାୟତ ସ୍ତରରେ ଲାପ୍ ଟପ୍ ମାଧ୍ୟମରେ ପୂର୍ବ ପ୍ରସ୍ତୁତ କରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ତହସିଲଦାର ଗଣ ଏହାର ସୁପରିଚାଳନା ଦାୟିତ୍ବ ନିର୍ବାହ କରିବେ । ଗ୍ରାମ ପଞ୍ଚାୟତ ସହ ଜିଲ୍ଲା ସ୍ତରକୁ କିମ୍ବା ଉପଖଣ୍ଡ ସ୍ତରକୁ ସଂଯୋଗ କରାଯିବାର ବ୍ୟବସ୍ଥା କରାଯିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଲାପ ଟପ୍, କ୍ୟାମେରା, ଇଣ୍ଟରନେଟ୍, ପାଓ୍ବାର ସପ୍ଲାଇ, ଟେବୁଲ, ଜନ ସାଧାଣଙ୍କ ବସିବା ନିମନ୍ତେ ଚୌକି ଓ ପାନୀୟଜଳ, ଶୌଚାଳୟର ବ୍ୟବସ୍ଥା କରାଇବେ । ନିର୍ଦ୍ଦିଷ୍ଟ ଦିନ ଓ ସମୟ ପୂର୍ବରୁ ଜିଲ୍ଲା ସ୍ତରରୁ ଅବଗତ କରାଯିବ । ମାସ୍କ, ସାନିଟାଇଜେସନ୍, ସାମାଜିକ ଦୂରତ୍ବ ଭଳି କୋଭିଡ୍ ନିୟମ ଅନୁପାଳନ କରାଯାଇ ଏହି ଅଭିଯୋଗ ଶୁଣାଣୀ ଟୋକେନ୍ ବ୍ୟବସ୍ଥା କରାଯାଇ ଜଣକ ପରେ ଜଣଙ୍କର ଅଭିଯୋଗ ଶୁଣାଣୀ ହେବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଓ୍ବାର୍ଡ ସ୍ତରୀୟ ଅଭିଯୋଗ ଶୁଣାଣୀ ହେବ ।
ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା, ପେନସନ୍ ଯୋଜନା, ରାସନ୍ କାର୍ଡ କିମ୍ବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଡ ଏଭଳି ଅନେକ ସମସ୍ୟାର ସମାଧାନ ସୁବିଧା ଓ ସରଳ ରେ ହୋଇପାରିବ । ସେମାନଙ୍କ ଆବେଦନ ଗୁଡିକ ନିର୍ଦ୍ଧାରୀତ ଆବେଦନରେ ପୂରଣ ହୋଇ ଅପ୍ ଲୋଡ୍ କରାଯିବ । ଦ୍ବିତୀୟତଃ ଅଧିକାରୀଗଣ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ରହିବା ଆବଶ୍ୟକ ପଡିବ ନାହିଁ । ସେମାନେ ସୋମବାର ଦିନ ନିର୍ଦ୍ଦିଷ୍ଟ ସମୟରେ ନିଜ କାର୍ଯ୍ୟଳୟରେ ବସି ନିଜ କାର୍ଯ୍ୟାଳୟର ନିୟମିତ କାର୍ଯ୍ୟ କରବେ ତତ୍ ସହିତ ନିଜ କାର୍ଯ୍ୟାଳୟରେ ଲାପ୍ ଟପ୍/ଡେସ୍କ ଟପ୍ /ଟ୍ୟାବଲେଟ୍ କିମ୍ବା ଆଇପ୍ୟାଡ୍ ମାଧ୍ୟମରେ ଅଭିଯୋଗ ପ୍ରକୋଷ୍ଠ ସହ ସିଧାସଳଖ ଅନ ଲାଇନ୍ ରେ ସଂଯୋଗ ହେବେ । ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ନିଜ କାର୍ଯ୍ୟାଳୟରେ ରହି ଅଭିଯୋଗ ଗୁଡିକର ଫୈସଲା ଦିଗରେ ସହଯୋଗ କରିବେ । ତୃତୀୟତଃ ଜନ ସାଧାରଣ ଅଭିଯୋଗ ଶୁଣାଣୀ ନିମନ୍ତେ ଜିଲ୍ଲା ସଦର ମହକୁମା କିମ୍ବା ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ଖର୍ଚ୍ଚାନ୍ତ ହେବେ ନାହିଁ ଏବଂ ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ହେବ ନାହିଁ । ନିଜ ଅଞ୍ଚଳରେ ରହି ତାଙ୍କ ସମସ୍ୟାର ଆଶୁ ସମାଧାନ ହୋଇପାରିବ ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ବର୍ତ୍ତମାନର ଏହି ଘଡିସନ୍ଧି ମୂହୂର୍ତ୍ତରେ ସମସ୍ତ ଲୋକଙ୍କ ନିକଟରେ ସୁବିଧା ପ୍ରଦାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି ନବୀନତମ ପ୍ରୟାସ ଦ୍ବାରା ତଳସ୍ତରର ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳର ଲୋକେ ଯେପରି ସୁବିଧା ପାଇବେ ସେଥିସକାଶେ ଏହି ‘ଅନ୍ ଲାଇନ୍ ମୋ ନିବେଦନ’ କାର୍ଯ୍ୟକ୍ରମ ନିଶ୍ଚିତ ସଫଳ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଶା ପ୍ରକଟ କରିଛନ୍ତି ।
ଆଜି ପୂର୍ବାହ୍ନରେ ଏହି ‘ଅନ୍ ଲାଇନ୍ ମୋ ନିବେଦନ’ ଅଭିଯୋଗ ଶୁଣାଣୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ରହି ରଙ୍ଗେଇଲୁଣ୍ଡା ବ୍ଲକ୍ ର ନାରାୟଣପୁର, ରଙ୍ଗିପୁର, ଗୋଳନ୍ଥରା ଓ କେଲୁଆ ପଲ୍ଲୀ ପଞ୍ଚାୟତ ଗୁଡିକର ୭୧ ଗୋଟି ଜନଶୁଣାଣୀ ହୋଇଥିଲା । ଏହି ଜନଶୁଣାଣୀ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତୀ ଓ୍ବାସନ୍, ଜିଲ୍ଲା ଅଭିଯୋଗ ଶୁଣାଣୀ ଅଧିକାରୀ ସୁକାନ୍ତ ମିଶ୍ର, ବ୍ରହ୍ମପୁର ଉପଖଣ୍ଡ ଅଭିଯୋଗ ଶୁଣାଣୀ ଅଧିକାରୀ ବିନୋଦ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଡି. ମାଲେଶ୍ବର ପାତ୍ର ଉପସ୍ଥିତ ଥିଲେ ।