ସାରର ସୁଷମ ବଣ୍ଟନ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ବ

coll_ferti

Bureau,Odishabarta

ଛତ୍ରପୁର ତା.୨୫.୦୮.୨୦୨୦ ଗଞ୍ଜାମ ଜିଲ୍ଲାର ଚାଷୀ ଙ୍କୁ କିପରି ସାର ଯୋଗାଇ ଦିଆଯିବ ଏବଂ କଳା ବଜାରୀକୁ ରୋକାଯାଇପାରିବ ସେଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏ.ଆର୍.ସି.ଏସ୍., ଏସ୍.ଏ.ଆର୍.ସି.ଏସ୍., ଆଇ.ସି.ଏସ୍., ଏମ୍.ଆଇ. ଓ ଆଇ.ଏସ୍ ମାନଙ୍କସହିତ ଚାଷୀ ମାନଙ୍କର ପଞ୍ଜାକରଣ ଏବଂ ସାରର ସୁଷମ ବଣ୍ଟନ ନେଇ ଆଲୋଚନା କରିଥିଲେ  । ବିଗତ ବର୍ଷ ୧ ଲକ୍ଷ ୩୪ ହଜାର ୪୬୨ ଚାଷୀ ପଞ୍ଜିକରଣ କରିଥିବା ସ୍ଥଳେ ଚଳିତ ବର୍ଷ ଏ ଯାବତ୍ ୬୬ ହଜାର ୭୬୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି  । ଯାହାକି ଶତକଡା ୪୮.୮୭ ପ୍ରତିଶତ  । କରୋନା ପ୍ରଭାବ ଯୋଗୁଁ ଚାଷୀଙ୍କ ପଞ୍ଜିକରଣ କମ୍ ହେଇଥିବା ଜଣାଯାଏ  । ଜିଲ୍ଲାର ଅନେକ ବ୍ଲକ୍ ରେ ଶତକଡା ୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଛନ୍ତି  । ଚଳିତ ମାସ ୩୧ ତାରିଖ ସୁଦ୍ଧା ଚାଷୀ ମାନଙ୍କୁ ପଞ୍ଜିକରଣ କରିବା ସକାଶେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି  । ସମସ୍ତ ଚାଷୀ ଯେପରି ପଞ୍ଜିକରଣ ହେବେ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଜିଲ୍ଲା ନିମନ୍ତେ ଆବଶ୍ୟକ ହେଉଥିବା ସାର ଉପଲବ୍ଧ କରିବା ସକାଶେ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିବାକୁ କୃଷି ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ  ।  ସାରର କଳାବଜାରୀ ରୋକିବା ନିମନ୍ତେ ଚଢାଉ କରିବା ସକାଶେ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଏବଂ କୃଷି ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ  । ସାରର ସୁଷମ ବଣ୍ଟନ ଯେପରି ହୋଇପାରିବ ସେଥିସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାପାଇଁ ଜିଲ୍ଲାପାଳ କହିଥିଲେ ।

ସାଧାରଣ ସୁଷମ ବଣ୍ଟନ ପ୍ରକ୍ରିୟା ସମୟରେ ହିତାଧିକାରୀମାନଙ୍କ ଦ୍ବାରା ଯେପରି ସାମାଜିକ ଦୂରତ୍ବ ବଜାୟ ରହିବ ଓ ମାସ୍କ ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ଯୋଗାଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, କୃଷି ବିଭାଗୀୟ ଉପନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଯୋଗାଣ ଅଧିକାରୀ ଉଷାମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।