ଜାଲି ଖବର ଉପରେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାରେ ମାର୍ଗଦର୍ଶିକା ଉନ୍ମୋଚିତ
II Odishabarta II
ଢେଙ୍କାନାଳ: ଜାଲି ଖବର ସାରା ପୃଥିବୀରେ ଭୟାନକ ବିପଦ ଭାବେ ଉଭା ହୋଇଛି । ଫଳରେ କେଉଁଟି ସତ, କେଉଁଟି ମିଛ ଲୋକମାନେ ଜାଣିପାରୁ ନାହାନ୍ତି । ଆଉ କ୍ରମଶଃ ଏହା ଆମର ଖବର ପଠନର ଶୈଳୀକୁ ବି କବଜା କରିବାକୁ ବସିଲାଣି । ତେଣୁ ଜାଲି ଖବରକୁ କିପରି ଯାଞ୍ଚ କରାଯାଇ ପାରିବ, ସେ ସଂପର୍କରେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଏହାକୁ ବିଭିନ୍ନ ଭାରତୀୟ ଭାଷା– ହିନ୍ଦୀ, ଓଡି଼ଆ ଓ ବଙ୍ଗଳାର ଅନୁବାଦକୁ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଇ–ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସେ କହିଥିଲେ– ଜାଲି ଖବରର ସମାଜର ଗୁରୁତର ସମସ୍ୟା । ଏଥିରେ ଅଙ୍କୁଶ ଲଗାଇବାର ବିଭିନ୍ନ କୌଶଳ ସମ୍ପର୍କରେ ଆଇଆଇଏମ୍ସି ଇଂରାଜୀରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲା । ହେଲେ ଅଧିକ ସାମ୍ବାଦିକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି । ହିନ୍ଦୀ, ଓଡି଼ଆ, ବଙ୍ଗଳା ଭାଷାରେ ଏବେ ପ୍ରକାଶିତ ହୋଇଛି । ଖୁବ୍ ଶୀଘ୍ର ତେଲୁଗୁ ଭାଷାରେ ଏହା ପ୍ରକାଶିତ ହେବ । ମାର୍ଗଦର୍ଶିକା ଜାଲି ଖବରକୁ ଯାଞ୍ଚ କରିବାରେ ବହୁ ମାତ୍ରାରେ ସହାୟକ ହେବ ବୋଲି ଡ. ଚାଟାର୍ଜୀ ଆଶା ବ୍ୟକ୍ତ କରିଥିଲେ ।
ଆଇଆଇଏମସି, ଢେଙ୍କାନାଳ ଓ ପ୍ରେସ୍ କ୍ଲବ, କୋଲକାତା ପକ୍ଷରୁ ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ପ୍ରଫେସର ଡ. ଚାଟାର୍ଜୀ ଓ ପ୍ରେସ୍ କ୍ଲବର ସଭାପତି ସ୍ନେହାଶିଷ ସୁର ଏଥିପାଇଁ ଆବଶ୍ୟକୀୟ ସହାୟତା କରିଛନ୍ତି । ସହକାରୀ ପ୍ରଫେସର ସମ୍ବିତ ପାଲ୍ ଏହାକୁ ସଂକଳିତ କରିବା ସହ ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି । ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଓଡି଼ଆ ଭାଷାରେ ଓ ହିନ୍ଦୀ ଭାଷାରେ ଆଇଆଇଏମ୍ସିର ଛାତ୍ରୀ ପ୍ରାଚୀ ରାଠି ଅନୁବାଦ କରିଛନ୍ତି । ଜିତେନ୍ଦ୍ର ପତି ଏହାକୁ ଡିଜାଇନ୍ କରିଛନ୍ତି ।
