କରୋନାରେ ଆତଙ୍କିତ ନ ହେବାପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆଶ୍ବାସନା

coll_zoom

Odishabarta

ଛତ୍ରପୁର,୨୯.୦୭.୨୦: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ଖବର ଶୁଣି ଆତଙ୍କିତ ନ ହେବାପାଇଁ ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି ।    ସପ୍ତାହ ପୂର୍ବରୁ  ଗୁରୁତର ଥିବା ତିନିଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା  । ଆଜି ସେମାନେ ସୁସ୍ଥ ହୋଇଛନ୍ତି  । ଏହା ଗଞ୍ଜାମ ଜିଲ୍ଲାପାଇଁ ଏକ ଭଲ ଖବର  । ଟାଟା ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ଆରମ୍ଭ ହୋଇସାରିଛି  । ଖୁବ୍ ଶୀଘ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପ୍ଲାଜମା ଥେରାପି ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି  । ଯେଉଁ ସଂକ୍ରମିତ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅଛନ୍ତି ସେମାନେ ଚିକିତ୍ସିତ ହୋଇପାରିବେ  ।

ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଚାଲିଛି,  ଏଣୁ ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି  । ଗତ ସପ୍ତାହର ରିପୋର୍ଟକୁ ଆଧାର କରି ଜଣାଯାଉଛି ଯେ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ କମ୍ ହେବାରେ ଲାଗିଛି  । ଚଳିତ ମାସ ୨୦ ତାରିଖଦିନ ୨୨୫ ଜଣ, ୨୧ ତାରିଖ ଦିନ ୩୭୧ ଜଣ, ୨୨ ତାରିଖ ଦିନ ୫୪୦ ଜଣ, ୨୩ ତାରିଖ ଦିନ ୭୩୨ ଜଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ୨୪ ତାରିଖ ରେ ୫୬୦, ୨୫ ତାରିଖରେ ୪୮୪, ୨୬ ତାରିଖରେ ୪୯୧, ୨୭ ତାରିଖରେ ୩୩୨ ଏହି ପ୍ରକାରରେ କମି କମି ଆସୁଅଛି  ।

ଘରକୁ ଘର ସର୍ଭେ ରେ ଯେତେ ଲକ୍ଷଣ ଦେଖାଯାଉଛି ସେହି ଅନୁସାରେ ପରୀକ୍ଷା ସଂଖ୍ୟା ବି କମୁଛି  । ୨୦ ଦିନ ପୂର୍ବରୁ ଶତକଡା ୭୦ ପ୍ରତିଶତ ଥିଲା ତାହା କମିକମି ଶତକଡା ୨୫ ପ୍ରତିଶତ ଭିତରେ ରହୁଛି  । ସଂକ୍ରମଣ ସଂଖ୍ୟା ବି କମୁଛି  ।

ମୃତ୍ୟୁକୁ ରୋକିବା ସକାଶେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କର ଉପଯୁକ୍ତ ଚିକିତ୍ସା କରାଇ ତାଙ୍କୁ ସୁସ୍ଥ ଅବସ୍ଥାକୁ ଫେରାଇ ଆଣିବା  । ସଂକ୍ରମିତ ହେବାପରେ ତାଙ୍କୁ ଚିହ୍ନଟ କରିବା ବିଳମ୍ବ ଯୋଗୁଁ କିମ୍ବା ସଂକ୍ରମିତ ବ୍ୟକ୍ତି ଲକ୍ଷଣ ଲୁଚାଇବା ହେତୁ ସମସ୍ୟା ଦେଖାଯାଉଛି  । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲେ ସେ ଚିକିତ୍ସା ପାଇଁ ଆସୁଛନ୍ତି ତେଣୁ ତାଙ୍କ ଅମୂଲ୍ୟ ଜୀବନ ରକ୍ଷାକରିବା କଷ୍ଟସାଧ୍ୟ ହେଉଛି  । ଏଣୁ ଥଣ୍ଡା, କାଶ, ଜ୍ବର ସମ୍ପର୍କରେ ତଥ୍ୟ ଦିଅନ୍ତୁ ଓ ପ୍ରାରମ୍ଭରୁ ଚିକିତ୍ସିତ ହୁଅନ୍ତୁ ।

ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ବି କମ୍ ହେଉଛି  । ୨୦ ଦିନ ତଳେ ଶତକଡା ୧ ପ୍ରତିଶତ ଥିଲା ବର୍ତ୍ତମାନ ଶତକଡା ୦.୮ ପ୍ରତିଶତ ଅଛି  । ଆରୋଗ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି, ଶତକଡା ୫୮ ପ୍ରତିଶତ ରୁ ଶତକଡା ୬୪ ପ୍ରତିଶତ ପର୍ଯ୍ୟନ୍ତ ରହିଛି  । ଏହା ଭଲକଥା ।

ଗ୍ରାମଞ୍ଚଳର ପଞ୍ଚାୟତ ସ୍ତରରୁ ଆମ୍ବୁଲାନସ୍ ପରିଚାଳନା କୁ ସୁଦୃଢ କରିବା ଦିଗରେ ପ୍ରୟାସ ଜାରି ରହିଛି  । ସବୁ ଆମ୍ବୁଲାନସ୍ ରେ ଯେପରି ଅକ୍ସିଜେନ୍ ରହିବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି  । ଅଶ୍ବିନୀ ଏବଂ  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍ କେୟାର ହସ୍ପିଟାଲ ଦୁଇଟି ରେ ପାଖାପାଖି ୩୦୦ ଶଯ୍ୟା ରେ ଅକ୍ସିଜେନ୍ ସହ ସୁବିଧା ମିଳିବ  । ଜିଲ୍ଲାରେ ଭିତ୍ତିଭୂମି ସୁଦୃଢ ଅଛି  । ଗୁରୁତର ରୋଗୀଙ୍କୁ ମଧ୍ୟ ଚିକିତ୍ସା କରିବା ଦିଗରେ ଗଞ୍ଜାମ ଜିଲ୍ଲା ସକ୍ଷମ ଅଛି ଏଣୁ ଭୟଭୀତ ନ ହୋଇ ସଂକ୍ରମିତ ବ୍ୟକ୍ତି ଲକ୍ଷଣ ଗୁଡିକ ପ୍ରକାଶ କରନ୍ତୁ ଏବଂ ଚିକିତ୍ସିତ ହୋଇ ସୁସ୍ଥ ହୁଅନ୍ତୁ  । ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

କୋଭିଡ୍ ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସକାଶେ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଜୁମ୍  ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଜ୍ଞାପିତ ଅଞ୍ଚଳ ପରିଷଦର  କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ କୋଭିଡ୍ – ୧୯ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ  ।

ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ଅର୍ଥର ଅଭାବ ନାହିଁ, ସମସ୍ତେ ଯେପରି ଠିକ୍ ସମୟରେ ସଠିକ୍ ଔଷଧ ପାଇବେ ଏବଂ ସମସ୍ତ କୋଭିଡ୍ ପରିଚାଳନା କେନ୍ଦ୍ର ଗୁଡିକ ଠିକରୂପେ ପରିଚାଳନା ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ  ଅବଗତ କରାଇଥିଲେ  । ଲୋକଙ୍କ ଜୀବନ ଅତି ମୂଲ୍ୟବାନ, ତେଣୁ ସେମାନଙ୍କ ଜୀବନ ସୁରକ୍ଷା ଦିଗରେ ସମସ୍ତେ କୋଭିଡ୍ ପରିଚାଳନାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରନ୍ତୁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଆଜି ଜିଲ୍ଲା ସ୍ତରରୁ ପର୍ଯ୍ୟବେକ୍ଷକଗଣ କ୍ଷେତ୍ରକୁ ଯାଇ କୋଭିଡ୍ ପରିଚାଳନାଗତ କାର୍ଯ୍ୟ ଯାଂଚ୍ କରିବେ  । ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ମାନଙ୍କରେ ସଚେତନତା ଅଟୋରିକ୍ସା ପରିଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର କରିବ  । ଜିଲ୍ଲାର ସମସ୍ତ ଆମ୍ବୁଲାନ୍ସର ଅକ୍ସିଜେନ ସ୍ଥିତି ଯାଂଚ୍ କରି ପୂର୍ବ ପ୍ରସ୍ତୁତ କରି ରଖନ୍ତୁ   । ସମସ୍ତ କୋଭିଡ୍ କେୟାର ସେଣ୍ଟର ମାନଙ୍କର ଶତକଡା ୫୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ୍ ବ୍ୟବସ୍ଥା କରନ୍ତୁ  । ସମସ୍ତ କୋଭିଡ୍ ଯୋଦ୍ଧା ମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ରଖନ୍ତୁ, ସେମାନଙ୍କୁ ମେଡିକାଲ କିଟ୍ ଦିଅନ୍ତୁ  । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିଲେ ତାଙ୍କର ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ ।

ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧା ପରିବାରଙ୍କ କଥା, ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅଧିକାରୀ ନିଜେ ବୁଝନ୍ତୁ  । କୋଭିଡ୍ ଯୋଦ୍ଧାଙ୍କ ଆତ୍ମୀୟ ସ୍ବଜନ ପାଇବାକୁ ଥିବା ସହାୟତା ରାଶି ଓ ମାସିକିଆ ଭତ୍ତା ରାଶି କିପରି ପାଇବେ ତାର ଆବେଦନ ପତ୍ର ସେମାନଙ୍କ ଦ୍ବାରା ପୂରଣ କରିବାର ପ୍ରକ୍ରିୟା ଦେଖନ୍ତୁ  ।

କୋଭିଡ୍ ସେଣ୍ଟର ଗୁଡିକରେ ତିନି ପ୍ରକାର ନଥିପତ୍ର ପ୍ରଚଳନ କରାଯିବ  । ସେଥିରେ ସଠିକ୍ ତଥ୍ୟ ଯେପରି ରହିବ ସେଥିପ୍ରତି ଦୃଷ୍ଚି ଦିଅନ୍ତୁ  । ପାରଳା ମହାରାଜା କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଅକ୍ସିଜେନ୍ ରହିତ ଅଧିକ ଶଯ୍ୟା ବୃଦ୍ଧି କରାଯିବ  । ଜିଲ୍ଲା ରେ ହେଉଥିବା ମୃତ୍ୟୁକୁ କିପରି ରୋକିହେବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଜଣାଇଥିଲେ  । ଲକ୍ଷଣ ଦେଖାଦେବା ପୂର୍ବରୁ ଯଦି ଚିହ୍ନଟ କରିବା ଓ ତଦନୁଯାୟୀ ତାର ପରୀକ୍ଷା କରି ଚିକିତ୍ସା କରିବା ତେବେ ମୃତ୍ୟୁକୁ ରୋକିପାରିବା  । ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୁଅନ୍ତୁ ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଗୁରୁତର ଅବସ୍ଥାକୁ ଆସିବା ପୂର୍ବରୁ ସେମାନେ ଚିହ୍ନଟ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିବେ ।

କୋଭିଡ୍ କେୟାର ସେଣ୍ଟର ଗୁଡିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ କରାଯାଇଥିବା ସ୍ବତନ୍ତ୍ର ସ୍ଥାନ ଗୁଡିକର ପରିଚାଳନା ଦାୟୀତ୍ବ ସଠିକ କରନ୍ତୁ ।

ଓ୍ବାଲ୍ ପେଣ୍ଟଂ, ଓ୍ବାଲ ରାଇଟିଂ କରି ସଚେତନତା ବାର୍ତ୍ତା କୁ ବ୍ୟାପକ କରନ୍ତୁ  । ତହସିଲଦାର ଓ ଥାନା ଅଧିକାରୀ ଗଣ ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢାଉ କରନ୍ତୁ  । ସୁପର ସ୍ପ୍ରେଡର୍ ମାନଙ୍କୁ ଚିହ୍ନଟ କରି ତାଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖନ୍ତୁ  । ମନ୍ଦିର, କୋଠଘର କିମ୍ବା ଗଛତଳେ ଥିବା ପିଣ୍ଡିରେ ବସି ଗପସପ କରୁଥିବା କିମ୍ବା ତାସ୍ ଖେଳୁଥିବା ବ୍ୟକ୍ତିଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଏତେଲା ଦାୟର କରନ୍ତୁ ।

୧୦ ରୁ ୧୨ ଜଣ ବ୍ୟକ୍ତିଙ୍କୁ ନେଇ ଅଟୋରିକ୍ସା ଗୁଡିକ ଚାଲୁଥିବା ନଜରକୁ ଆସୁଛି  । ସେଗୁଡିକୁ ଚଢାଉ କରାଯାଉ ଏବଂ ଆଞ୍ଚଲିକ ପରିବହନ ଅଧିକାରୀ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାପାଳ ଜଣାଇଥିଲେ ।

ନରେଗାରେ ଗ୍ରାମାଞ୍ଚଳ ଲୋକେ ତାଙ୍କ ଗ୍ରାମରେ ଯେପରି କାମ ପାଇବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ  । ଗ୍ରାମାଞ୍ଚଳ ଲୋକେ କାମ ପାଇଁ ଯେମିତି ସହରକୁ ଆସିବେ ନାହିଁ ତାହା ସୁନିଶ୍ଚିତ କରନ୍ତୁ ।     ସ୍ବାବ୍ ଟେଷ୍ଟ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ।

ଆଗାମୀ ଦିନେ ଦୁଇଦିନ ମଧ୍ୟରେ ସ୍ବତନ୍ତ୍ର ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଅଶ୍ବିନ  ଦ୍ବାରା କରାଯାଉଛି  । ଏହି ଦୁଇଟି ହେବା ପରେ କ୍ରିଟିକାଲ୍ କେସ୍ ଜନୀତ ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ଓ ଜିଲ୍ଲାବାସୀ ଉପକୃତ ହୋଇପାରିବେ ।

ଖୋଲାଯାଉଥିବା ଦୋକାନ ଗୁଡିକ ୫ ସୂତ୍ର ପାଳନ କରୁଛନ୍ତି ନା ନାହିଁ ତାହା ତଦାରଖ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

 ଜୁମ୍ ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ ସଂପୃକ୍ତ ଅଧିକାରୀ ଗଣ ଅଂଶ ଗ୍ରହଣ କରିଥିଲେ  ।

#I&PR