କୋଭିଡ୍-୧୯: ବିଶୋଧକ ସିଞ୍ଚନ କ୍ଷତିକାରକ ହୋଇପାରେ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ଜେନେଭା: ବାଟଘାଟରେ ବିଶୋଧକ ସିଞ୍ଚନ କରୋନାଭାଇରସ୍କୁ ନିପାତ କରୁନାହିଁ ବରଂ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହେବାର ସମ୍ଭାବନା ରହିଛି ବୋଲି ଶନିବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାଇ ଦେଇଛି।
ବିଭିନ୍ନ ସ୍ଥାନ ବିଶୋଧନ ସଂକ୍ରାନ୍ତ ଏକ ଆଲେଖ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆହୁରି କହିଛି ଯେ କରୋନାଭାଇରସ୍ ଦମନ ଅଭିଯାନରେ କେତେକ ଦେଶ ବିଶୋଧକ ସିଞ୍ଚନ କରି ଯେଭଳି ବାଟଘାଟ ପରିଷ୍କାର କରୁଛନ୍ତି ତାହା ପ୍ରଭାବହୀନ। ଏ ସମ୍ପର୍କରେ ଅଧିକ ବୁଝାଇବାକୁ ଯାଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ବାଟଘାଟ ଓ ହାଟବଜାର ଭଳି ସ୍ଥାନରେ ରାସାୟନିକ ବିଶୋଧକ ସିଞ୍ଚନ କରି କୋଭିଡ୍-୧୯ କିଂବା ଅନ୍ୟ ଅଣୁଜୀବମାନଙ୍କୁ ନିପାତ କରିବା ସମ୍ଭବ ନୁହେଁ, କାରଣ ଏ ସବୁ ସ୍ଥାନରେ ଥିବା ଅଳିଆଆବର୍ଜନା ବିଶୋଧକୁ ପ୍ରଭାବହୀନ କରିପକାଏ। ତେଣୁ କୌଣସି ପରିସ୍ଥିତିରେ ବାହାର ସ୍ଥାନରେ ବିଶୋଧକ ସିଞ୍ଚନ ପାଇଁ ଅନୁମତି ଦେବା ଅନୁଚିତ।
