ଆଇଆଇଏମ୍ସିରେ ‘ଫଟୋ ଟକ୍ସ’ ଉନ୍ମୋଚିତ
II ODISHABARTA II
ଢେଙ୍କାନାଳ,୧୧ା୫: ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରେ ଫଟୋଗ୍ରାଫିଆ–୩ କର୍ମଶାଳାର କଫି ଟେବୁଲ ବହି(ଫଟୋ–କାହାଣୀ ଆଲ୍ବମ)- ‘ଫଟୋ ଟକ୍ସ’ ଉନ୍ମୋଚିତ ହୋଇଛି । ଆଜି(ସୋମବାର) ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଏହାକୁ ଇ–ଉନ୍ମୋଚନ କରିଥିଲେ ।
ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଫଟୋଗ୍ରାଫି କର୍ମଶାଳାରେ ପ୍ରଶିକ୍ଷାର୍ଥୀମାନେ ଉଠାଇଥିବା ଫଟୋ ସହ କବିତା, କାହାଣୀଗୁଡି଼କ ଏଥିରେ ସନ୍ନିବେଶ କରାଯାଇଛି । ଏହି ଅବସରରେ ପ୍ରଫେସର ଚାଟାର୍ଜୀ କହିଥିଲେ, ଫଟୋ କେବଳ ଗୋଟିଏ ମୁହୂର୍ତ୍ତର ଛବିକୁ ଧରି ରଖେନି, ବରଂ ସେହି ମୁହୂର୍ତ୍ତର ଛବି ଭିତରେ ଅନେକ କଥା କହେ । ସେହି କଥା ଗୋଟିଏ ଗୋଟିଏ କାହାଣୀ । ଫଟୋ ଭିତରେ ଥିବା କାହାଣୀକୁ କେମିତି କଳାତ୍ମକ ଭାବରେ ପ୍ରକାଶ କରିବେ, ତାହା ଗତ କର୍ମଶାଳାରେ ପ୍ରଶିକ୍ଷିତ କରାଯାଇଥିଲା । ଫଳସ୍ୱରୂପ ପ୍ରଶିକ୍ଷାର୍ଥୀମାନେ ଫଟୋ ଉଠାଇବା ସହ କବିତା, କାହାଣୀମାନ ଲେଖି ପ୍ରଦର୍ଶିତ କରିଥିଲେ । ଏବେ ସେସବୁକୁ ସଂରକ୍ଷଣ ଓ ପ୍ରଦର୍ଶନ ପାଇଁ ଏକ ବହି ପ୍ରକାଶ କରାଯାଇପାରିଛି ।
୩ ବର୍ଷ ଧରି ଆଇଆଇଏମ୍ସି ସଫଳତାର ସହ ଫଟୋଗ୍ରାଫି କର୍ମଶାଳା ଆୟୋଜିତ କରିଆସୁଛି । ଗତ ସେପ୍ଟେମ୍ବର ମାସରେ ୩ଦିନ ଧରି ତୃତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ଫଟୋଗ୍ରାଫର ହିମାଂଶୁ ବ୍ୟାସ ଓ ତବିନା ଅଞ୍ଜୁମ କ୍ୟୁରେସି ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରଶିକ୍ଷାର୍ଥୀ ଫଟୋ ଉଠାଇବାର କଳା, କୌଶଳ ଶିଖିଥିଲେ ।
ସହକାରୀ ପ୍ରଫେସର ସମ୍ବିତ ପାଲ ବହିର ସମ୍ପାଦନା କରିଥିଲେ । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ଡିଜାଇନ କରିଥିଲେ । ଉନ୍ମୋଚନ କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଟେକ୍ନିକାଲ ସଂଯୋଜକ ବଦ୍ରୀନାଥ ଜେନା, ଗ୍ରନ୍ଥାଗାରିକ ଶୁଭଙ୍କରି ଦାସ, ଏକାଡେମିକ ଆସିଷ୍ଟାଣ୍ଟ୍ ପଦ୍ମଲୋଚନ ପ୍ରଧାନ, ଦେବେନ୍ଦ୍ର ରଗୁଲାଲ ପ୍ରମୁଖ ଉପସ୍ଥିତ ଥିଲେ ।
